ମୁମ୍ବାଇ: ଫିଲ୍ମ ‘ୱାର୍ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ ଜୁନିୟର ଏନ୍ଟିଆର୍ ନଜର ଆସିବେ ବୋଲି ଜାଣିବାକୁ ମିଳିଥିଲା। ଏବେ ନିର୍ମାତା ଆଉ ଏକ ଘୋଷଣା କରିଛନ୍ତି। ଆର୍ଯ୍ୟନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ୨୦୨୫ ସାଧାରଣତନ୍ତ୍ର ଦିବସରେ ରିଲିଜ୍ ହେବ ବୋଲି ଜଣାପଡିଛି। ମୁଭିରେ ଏହି ୨ଜଣ ବ୍ୟତୀତ କିଆରା ଆଡ୍ଭାନୀ, କ୍ୟାଟ୍ରିନା କୈଫ, ଜନ୍ ଆବ୍ରାହମ୍, ପ୍ରଭାସ, ଶବିର ଆଲୁଆଲିଆଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ‘ଅଗ୍ନିପଥ’ ଏବଂ ‘ପଠାନ୍’ ସାଧାରଣତନ୍ତ୍ର ଦିବସରେ ରିଲିଜ୍ ହୋଇ ହିଟ୍ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ମାତା ‘ୱାର’କୁ ଜାନୁୟାରୀ ୨୬ରେ ରିଲିଜ୍ ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ବଡ଼ ପରଦାରେ ଦୁଇ ହିଟ୍ ଷ୍ଟାରଙ୍କ ଆକ୍ସନ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।