‘କରୋନା ଗଲେ ତିର୍ତ୍ତୋଲ ଯିବି’

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): କରୋନା ଦୂର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଗସ୍ତ କରିବେ। ଲୋକଙ୍କୁ ଭେଟି ବିକାଶ କାମ ବୁଲି ଦେଖିବେ। ବୁଧବାର ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇଛି। ଆମ କାମକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି। କୋଭିଡ୍‌ ଯୋଦ୍ଧାଙ୍କ ନିଷ୍ଠା, ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି। ଆଗକୁ ଆମେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ ପାଳି କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ତାଙ୍କ ପ୍ରତି ଜନସାଧାରଣଙ୍କ ଭଲ ପାଇବା, ସ୍ନେହଆଦର ରହିଛି। ତିର୍ତ୍ତୋଲ ଯାଇଥିଲେ ବହୁ ସଂଖ୍ୟାରେ ଜନସମାଗମ ହୋଇଥାନ୍ତା। କୋଭିଡ୍‌ ପରିସ୍ଥିତିରେ ଏହା ଉଚିତ ନୁହେଁ। ସୁରକ୍ଷାକୁ ଦୃଷ୍ଟିରୁ ଭିଡିଓ କନ୍‌ଫରେନ୍ସରେ ଜନସାଧାରଣଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ନିର୍ବାଚନରେ ବିଷ୍ଣୁ ବାବୁଙ୍କୁ ଭୋଟରମାନେ ଜିତାଇଥିଲେ। ଦୁଃଖର କଥା ସେ ଆଜି ଆମ ଗହଣରେ ନାହାନ୍ତି। ତିର୍ତ୍ତୋଲ ବିକାଶ କାମ ନେଇ ସେ ବହୁବାର ଭେଟୁଥିଲେ। ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହିତ ଅଛନ୍ତି। ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ମହାନଦୀ ଉପରେ ଦୁଇଟି ବଡ଼ ସେତୁ ପାଇଁ କାମ ଆରମ୍ଭ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଭିତ୍ତିଭୂମି ବିକାଶ ସହ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି। ଗତ ୮ ମାସରେ କୋଭିଡ୍‌ ପରିସ୍ଥିତିରେ ମଧ୍ୟ ରାଜ୍ୟକୁ ଅନେକ ଶିଳ୍ପସଂସ୍ଥା ଆସିଛନ୍ତି। କେତେକ କାମ ଆରମ୍ଭ କଲେଣି। ଯୁବତୀଯୁବକଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା। କେହି ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହେବେ ତାହା ହିଁ ପ୍ରଥମ ଲକ୍ଷ୍ୟ। ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରୁଛନ୍ତି। ସେମାନେ ବିକାଶର ନୂଆ ପରିଚୟ ଦେଇଛନ୍ତି। ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ। ଭୋଟ୍‌ କେନ୍ଦ୍ରକୁ ଗଲାବେଳେ ସାବଧାନତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ମତଦାତାଙ୍କୁ ଅନୁରୋଧ କରିଛନ୍ତି।

Share