ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି

ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ କହିଥିଲେ ଠିକ୍‌ ସେମିତି ବିହାରର ଜଣେ ଯୁବକ କହିଛନ୍ତି। ଶୁକ୍ରବାର ରାତି ୮ରୁ ଶନିବାର ସକାଳ ୮ ପର୍ଯ୍ୟନ୍ତ ଏହି ଯୁବକ ପାଣି ଟାଙ୍କି ଉପରେ ଚଢ଼ି ହାଇଭୋଲେଟଜ୍‌ ଡ୍ରାମା କରିଥିଲେ।

ଏହି ଘଟଣା ନିର୍ମଳି ସବ୍‌ଡିଭିଜନ ମୁଖ୍ୟାଳୟ ଅଞ୍ଚଳରେ ଘଟିଛି। ଜଣେ ଯୁବକ ଶୁକ୍ରବାର ରାତିରେ ଏକ ପାଣିଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ପ୍ରେମିକା ବାହା ନ ହେଲେ ସେ ଡେଇଁପଡ଼ି ଆତ୍ମହତ୍ୟା କରିବାକୁ ଧମକାଇଥିଲେ। ପ୍ରଶାସନ ଆଶ୍ୱାସନା ଦେବାରୁ ଯୁବକ କହିଲେ ଝିଅ ଏବଂ ତାଙ୍କ ମା-ବାପାଙ୍କୁ ଏଠାକୁ ଡାକନ୍ତୁ। ତାଙ୍କ ସାମ୍ନାରେ ସେ ତାଙ୍କ ଝିଅକୁ ମୋତେ ବାହା କରିବାକୁ କୁହନ୍ତୁ। ନଚେତ୍‌ ମୁଁ ଏହି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା କରିବି। ଏମିତି ଡ୍ରାମା ଚାଲୁ ଚାଲୁ ସକାଳ ହୋଇଗଲା। ଫଳରେ ଲୋକେ ରୁଣ୍ଡ ହୋଇଗଲେ। ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ବହୁ ବୁଝାଶୁଝା କରିବା ପରେ ଯୁବକ ଜଣକ ତଳକୁ ଆସିଥିଲେ।

ପୋଲିସ ପଚରାଉଚରା କରିବାରୁ ତାଙ୍କ ନାମ ପ୍ରଶାନ୍ତ କୁମାର ବୋଲି କହିଥିଲେ। ସେ ମଧୁବନୀ ଜିଲାର ଲୌକହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହ ପାଇଁ ପ୍ରଶାନ୍ତ ଏବଂ ସଂପୃକ୍ତ ଯୁବତୀଙ୍କ ଇଚ୍ଛା ଥିଲା। ମାତ୍ର ଯୁବତୀଙ୍କ ପିତା ଏଥିରେ ରାଜି ନ ଥିଲେ। ଏଥିରେ ନିରାଶ ହୋଇ ପ୍ରଶାନ୍ତ ଶୋଲେ ଫିଲ୍ମ ଷ୍ଟାଇଲରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଏକ ସୁଇସାଇଡ୍‌ ନୋଟ ଲେଖି ତଳେ ପକାଇ ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ। ବହୁ ବୁଝାଶୁଝା କରିବା ପରେ ପ୍ରଶାନ୍ତ ତଳକୁ ଓହ୍ଲାଇଥିଲେ।

Share