ଯାଜପୁର ଅଫିସ,୧୭ା୪: ବର୍ତ୍ତମାନ ଜିଲାରେ ଖରାର ପ୍ରକୋପ ଜାରି ରହିଛି। ଏଭଳିସ୍ଥଳେ ପାନୀୟ ଜଳ ସମସ୍ୟାର ମୁକାବିଲା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲ୍ୟୁଏସ୍ଏସ୍) ପକ୍ଷରୁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଶୋଷ ମେଣ୍ଟାଇବାକୁ ରିପୋର୍ଟରେ ଜିଲାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସୁବିଧା ପାଇଁ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଥିବା, ସେଥିରୁ ଅନେକ କାର୍ଯ୍ୟକ୍ଷମ ହୋଇଥିବା ଓ ଅନେକର କାମ ଚାଲିଥିବା ଉଲ୍ଲେଖ ରହିଛି । ହେଲେ କେତେକ କ୍ଷେତ୍ରରେ ଆର୍ଡବ୍ଲ୍ୟୁଏସ୍ଏସ୍ର ରିପୋର୍ଟ ଏବଂ ବାସ୍ତବତା ମଧ୍ୟରେ ତାଳମେଳ ରହୁନାହିଁ।
ଜିଲାରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ବିଳମ୍ବ ହେଉଥିବାବେଳେ ନିର୍ଦ୍ଧାରିତ ଖର୍ଚ୍ଚ ପରିମାଣ ବଢୁଛି। ହେଲେ କାମ ସରିବାର ନଁା ଧରୁନାହିଁ। ଏହାର ଗଭୀର ପ୍ରଭାବ ଲଘୁ ଖଣିଜ ଦ୍ରବ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଇନ ଅନୁସାରେ ଖଣିଗୁଡ଼ିକୁ ପୋତା ଯାଉ ନ ଥିବାରୁ ଭୂତଳ ଜଳସ୍ତର ହ୍ରାସ ହେବା ସହ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଏହାସହ ଅଣଲିଜ୍ ଖାଦାନଗୁଡ଼ିକରୁ କମ୍ ସମୟରେ ଅଧିକ ଉତ୍ତୋଳନ କରିବା ଲକ୍ଷ୍ୟ ନେଇ ବେଆଇନ ବ୍ଳାଷ୍ଟିଂ ଅଣାୟତ୍ତ ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଧୀନ କଳାପଥର ଖାଦାନଗୁଡ଼ିକରେ ପ୍ରାୟ ୧୫୦ ଫୁଟ ପର୍ଯ୍ୟନ୍ତ ଖୋଳି ଗ୍ରାନାଇଟ ପଥର ଉତ୍ତୋଳନ ହୋଇଥିବାରୁ ଭୂତଳ ଜଳସ୍ତର ବହୁ ନିମ୍ନଗାମୀ ହୋଇଛି। ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଉକ୍ତ ଖଣିକୁ ପୋତା ଯାଉନାହିଁ। ଜିଲା ପ୍ରଶାସନ କେବଳ ଖୋଲା ଖଣିର ହିସାବ ମାଗି ନିଜର ଦାୟିତ୍ୱ ସମ୍ପାଦନ କରିଛି। ସାଟେଲାଇଟ୍ ମାପଚୁପ କରି ଜରିମାନା ପାଇଁ ଡିମାଣ୍ଡ ନୋଟିସ ଜାରି କରିଛି। ହେଲେ ସମ୍ପୃକ୍ତ ଲିଜଧାରୀଙ୍କଠାରୁ ଏଯାଏ ସମ୍ପୂର୍ଣ୍ଣ ଜରିମାନା ଆଦାୟ ହୋଇ ପାରିନାହିଁ। ଅନ୍ୟପକ୍ଷେ ଜରିମାନା ଆଦାୟରେ ତହସିଲ ପ୍ରଶାସନ ରଫାଦଫା କରିଥିବା ମଧ୍ୟ ଅଭିଯୋଗ ହେଉଛି। ଧର୍ମଶାଳା ତହସିଲ ଅଞ୍ଚଳରେ ୮୫ଟି କଳାପଥର ଖାଦାନ ରହିଛି। ସେଥିରୁ ୩୭ଟି ଲିଜ୍ ଦିଆଯାଇଛି। ତେବେ ଲିଜ୍ ଖାଦାନଗୁଡ଼ିକରୁ ନାମକୁମାତ୍ର ଉତ୍ତୋଳନ ହେଉଥିବାବେଳେ ଲିଜ୍ ଦିଆଯାଇ ନ ଥିବା ଖାଦାନଗୁଡ଼ିକରୁ ବିପୁଳ କଳାପଥର ଲୁଟ୍ କରାଯାଉଛି। ଏହି କାରବାରରେ ତହସିଲ, ପୋଲିସ ବିଭାଗର ଅଧିକାରୀମାନେ ସମ୍ପୃକ୍ତି ଥିବା କୁହାଯାଉଛି। ସେହିପରି ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ବୈଠକରେ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ସହ ବହୁ ପରିମାଣରେ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେତେବେଳେ ଏହି ନିଷ୍ପତ୍ତିକୁ ସାଧାରଣରେ ବିପୁଳ ଭାବେ ସ୍ବାଗତ କରାଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତି କେବଳ ଲୋକଦେଖାଣିଆ ବୋଲି ଏବେ ପ୍ରମାଣିତ ହୋଇଛି। ବେଆଇନ କଳାପଥର ଉତ୍ତୋଳନ ଏଠାରେ ସୀମା ଲଂଘିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ପୁଣି ସରକାରୀ ଭାବେ ଶର୍ଟ ହୋଲ୍ ଡ୍ରିଲ୍ ଓ ଲଙ୍ଗ୍ ହୋଲ୍ ଡ୍ରିଲ କରିବାକୁ ନିୟମ ରହିଛି। ଖଣି ବିଭାଗ ଏଥିପାଇଁ ଅନୁମତି ମଞ୍ଜୁର କରିଥାଏ। ଲଙ୍ଗ୍ ହୋଲ୍ ଡ୍ରିଲ୍ରେ ସର୍ବାଧିକ ୬ ମିଟର ପର୍ଯ୍ୟନ୍ତ ଗାତ କରିପାରିବେ। ଶର୍ଟ ହୋଲ୍ ଡ୍ରିଲରେ ୧ରୁ ଦେଢ଼ମିଟର ଗାତ ଖୋଲି ଡ୍ରିିଲିଂ କରିବାକୁ ନିୟମ ରହିଛି। କିନ୍ତୁ ଏହିସବୁ ନୀତି ନିୟମକୁ ଭ୍ରୂକ୍ଷେପ ନ କରି ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗାତ ଖୋଳି ଡ୍ରିଲିଂ କରାଯାଉଛି। ଫଳସ୍ବରୂପ ଡଙ୍କାରୀ, ମଧୁପୁରଗଡ଼, କୁକୁଡ଼ାଖାଲି, ଭୁବନପୁର, ପନ୍ତୁରୀ, ରଗଡ଼ିପସି, ଚଢ଼େଇଧରା, ପଇତରା, ଦୌଲତପୁର, ଗୋଗରସରା, ବରଡ଼ା, ଝାଟିଆପଡ଼ା, କୁରିକଣା, ବାଟିଯୋଡ଼ା, ବାରମାଣ, ଚଡ଼କମରା, ସାହାଣିଡ଼ିହ, ଅଣ୍ଟିଆ, କମାଗଡ଼, ଭରତପୁର, ପଛୁଖୁଣ୍ଡି, ଇଚ୍ଛାପୁର, ବେଢ଼ା ପ୍ରଭୃତି ଗ୍ରାମବାସୀ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପଗୁଡ଼ିକରୁ ଆବଶ୍ୟକ ପାଣି ବାହାରୁନାହିଁ। କେତେକ ନଳକୂପରେ ୨୦ରୁ ୩୦ ଥର ହ୍ୟାଣ୍ଡଲ ମାରିଲେ ଯାଏ ପାଣି ବାହାରୁଛି, ତାହା ପୁଣି ବହୁତ କମ୍। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ କଲ ଗ୍ରହଣ କରି ନ ଥିଲେ।