ପଦ୍ମପୁର,୨୧।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଧଡ଼କ ଭାବେ ଚାଲିଛି ବେଆଇନ ଇଟାଭାଟି। ନାୟକାଣିଡିହୀ, କରଞ୍ଜଆଡ଼ିଆ, ଗୋବିନ୍ଦପୁର, ବିଦେଇପୁର, ବିରସ, ବାଲିମେଦ, ଲକ୍ଷ୍ମୀଦାସପୁର, ଜଗନ୍ନାଥପ୍ରସାଦ, ରାଜଘରପୋଖରୀ ଓ ଆନ୍ଦୋଳା ପଞ୍ଚାୟତରେ ଶତାଧିକ ଇଟାଭାଟି ଗଢ଼ି ଉଠିଛି। ଏପରିକି ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ଜନବସତି, ଶିକ୍ଷାନୁଷ୍ଠାନ ନିକଟରେ ପୋଡ଼ା ଚାଲିଛି ଇଟାଭାଟି। ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏଭଳି ସମୟରେ ଜନବସତି ପାଖରେ ତିଆରି ହୋଇଥିବା ଇଟାଭାଟି ତାତି ବଢ଼ାଉଛି। ଇଟାଭାଟିର ତାତି ଓ ଏଥିରୁ ବାହାରୁଥିବା ଧୂଆଁରେ ଲୋକେ ଅତିଷ୍ଠ ହେଉଛନ୍ତି। ଏନେଇ ରାଜସ୍ବ ବିଭାଗ କଁା ଭଁା ଜରିମାନା କରୁଥିବା ବେଳେ ବାକି ସବୁ ଭାଟି ମାଲିକ ଧର୍ମକୁ ଆଖିଠାର ମାରି ଇଟାଭାଟି ପୋଡୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ଅନିତା ନାୟକଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।