ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ବେଆଇନ ଇଟା ଭାଟି ଭାଙ୍ଗିଲା, ଭୟରେ ଜମି ମାଫିଆ

ବାଲିଗୁଡା, ୨୦।୧ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ପଣସ ପଡି ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ହେବ ବାଲିଗୁଡା ଏନଏସିର ନୂଆସାହି ଦଣ୍ଡପଦର ପଣସପଡି ଗୁଳିମରା ମୁଣ୍ଡାସାହି ଭଗାମୁଣ୍ଡା, ସୁନାପାଙ୍ଗା ଜାମପଦା ଆଦି ବସ୍ତିରେ ଜମି ମାଫିଆ ବେଶ ସକ୍ରିୟ ହୋଇ ବଡ ବଡ ଅଟ୍ଟାଳିକା ନିର୍ମାଣ କରି କ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ପରେ ଆକ୍ସନ ମୋଡ଼ରେ ତହସିଲଦାର।  ସୋମବାର ବାଲିଗୁଡା ଏନଏସିର ୧୧ ନମ୍ବର ୱାର୍ଡରେ ତହସିଲଦାର ଦୀପ୍ତି ରଞ୍ଜନ ବେହେରା ଓ ପୋଲିସ ପ୍ରଶାସନ ଉପସ୍ଥିତି ର ବିଭିନ୍ନ ସରକାରୀ ଜମିକୁ ଜବରଦଖଲ କରି ସରକାରୀ କର୍ମଚାରୀ ଓ ଧନୀକ ଶ୍ରେଣୀର ବ୍ୟକ୍ତି ଅଟ୍ଟାଳିକା ନିର୍ମାଣ କରିଥିବା ଜବର ଦଖଲ ଜମିକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ବେଆଇନ ଇଟା ଭାଟି କୁ ମଧ୍ୟ ଭାଙ୍ଗି ନଷ୍ଟ କରିଛନ୍ତି । ବାଲିଗୁଡ଼ା ଏନଏସିର ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେଦଖଲ ଉପରେ ଉଚ୍ଛେଦ ଅଭିଯାନ ପର୍ଯ୍ୟାୟ କ୍ରମେ ସବୁ ୱାର୍ଡରେ ଆରମ୍ଭ ହେବ ବୋଲି ତହସିଲଦାର ଦିପ୍ତୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ବାଲିଗୁଡାରେ ସହରରେ ୭୦ ପ୍ରତିଶତ ସରକାରୀ ଜମି ଉପରେ ବେଆଇନ କୋଠା ନିର୍ମାଣ ହୋଇଛି । ପର୍ଯ୍ୟାୟ କ୍ରମେ ବେଆଇନ ଦଖଲ ଉଚ୍ଛେଦ କରି ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବ ବୋଲି ତହସିଲଦାର ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବେହେରା ସ୍ବଳ୍ପ ସମୟ ମଧ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ସାଧୁବାଦ ଜଣାଇଥିବା ବେଳେ କିଛି ଜମି ମାଫିଆଙ୍କ ଆଖିରୁ ନିଦ ହଜିବା ସହ କୋକୁଆ ଭୟ ସୃଷ୍ଟି ହୋଇଛି । କିଛି ସରକାରୀ କର୍ମଚାରୀ ଦଲାଲଙ୍କ ଠାରୁ ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍‌ ତହସିଲଦାରଙ୍କ ଚଢାଉ ଦ୍ୱାରା ଭୟବିତ ହୋଇଯାଇଛନ୍ତି । ଏପଟେ ଜମି ଦଲାଲଙ୍କ ଠାରୁ ସରକାରୀ ଜମି କିଣି ଥିବା ଲୋକ କିପରି ନିଜ ଟଙ୍କା ଫେରସ୍ତ ପାଇବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ଜମି ମାଫିଆ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରି ବିଳାସମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Share