ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଇଟାଭାଟି

ନୀଳଗିରି, ୬।୨(ସ୍ବ.ପ୍ର.):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଇକୋ ସେନସିଟିଭ୍‌ ଜୋନ୍‌ (ଜୈବ ସମ୍ବେଦନଶୀଳ ଅଞ୍ଚଳ) ଭିତରେ ଏକାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡ଼ିହା ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ଅଗଷ୍ଟ ୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ମୋଟ ୨୧୯.୧୮ବର୍ଗ କି.ମି. ଅଞ୍ଚଳକୁ କୁଲଡ଼ିହା ଇକୋ ସେନସିଟିଭ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରେ ଏହି ସେନ୍‌ସିଟିଭ ଜୋନ ଓ ଅଭୟାରଣ୍ୟ ସୀମାନ୍ତରେ ୧୪ଟି ଚିମିନି ଭାଟି ଥିବା ବନବିଭାଗ ଜାଣିବାକୁ ପାଇଥିଲା। ବେଆଇନ ଇଟାଭାଟି ଯୋଗୁ ଅଭୟାରଣ୍ୟ ଓ ଏହା ମଧ୍ୟରେ ଥିବା ବନ୍ୟପ୍ରାଣୀଙ୍କ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି। ଅଭୟାରଣ୍ୟ ବାହାରେ ମଧ୍ୟ କିଛି ଇଟାଭାଟି ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା। ଏନେଇ ନାଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ବିଧାନସଭାରେ ପ୍ରଶ୍ନ ଉଠାଇବା ପରେ ପ୍ରଶାସନ ଇଟାଭାଟି ଭାଙ୍ଗିବାକୁ ତତ୍ପର ହୋଇଉଠିଥିଲା। ବର୍ଷକ ତଳେ ତକତ୍ାଳୀନ ଜିଲାପାଳ ଓ ଡିଏଫ୍‌ଓ ବେଆଇନ ଚିମିନି ଇଟାଭାଟି ଭାଙ୍ଗିଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଶାସନ ଇଟାଭାଟିଗୁଡ଼ିକୁ ଭାଙ୍ଗିବାକୁ ନେଇ ଦୁଇଥର ଚେଷ୍ଟା କରି ବିଫଳ ହୋଇଥିଲା। ଚିମିନି ଭାଟିରୁ ବାହାରୁଥିବା କୋଇଲା ଧୂଅଁାରେ ପ୍ରଦୂଷଣ ବଢ଼ି ଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନ ଅଙ୍କୁଶ ଲଗାଇ ପାରିନାହିଁ।
ଏ ସମ୍ପର୍କରେ ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏ ବିଷୟରେ ତହସିଲଦାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ। ସେହିପରି ବାଲେଶ୍ୱର ଡିଏଫ୍‌ଓ ସୁମିତ କୁମାର କର ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।