ରାଜଧାନୀରେ ବଢୁଛି ବେଆଇନ ନିର୍ମାଣ:ଭଙ୍ଗାହେବ ୧୯୧ ଆପାର୍ଟମେଣ୍ଟ

ଭୁବନେଶ୍ୱର,୨୮ା୮(ଅନିଲ ଦାସ):ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଭାବେ ବହୁତଳ ଅଟ୍ଟାଳିକା ଗଢ଼ିଉଠୁଛି। ନିର୍ମାଣ ହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉ ନ ଥିବାରୁ ଦିନକୁ ଦିନ ଏହାର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ବେଆଇନ ଆପାର୍ଟମେଣ୍ଟ ଗଢ଼ିଉଠୁଛି। ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର। ଏଠାରେ ରାଜ୍ୟ ଶାସନର ମୁଖ୍ୟାଳୟଠାରୁ ଆରମ୍ଭକରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ରହିଛି। ତେବେ ଏହି ମହାନଗର ଅଞ୍ଚଳରେ ବେଳକୁବେଳ ବହୁ ବେଆଇନ ଆପାର୍ଟମେଣ୍ଟ ଗଢ଼ି ଉଠୁଛି। ରାଜଧାନୀରେ ଗଢ଼ି ଉଠିଥିବା ୧୯୧ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମୋଟ ୪୯୧ଟି ବେଆଇନ ଆପାର୍ଟମେଣ୍ଟ ବିରୋଧରେ ମାମଲା ରୁଜୁ କରିଛି। ସେଥିରୁ ୨୩୭ଟି ମାମଲା ବିଚାରାଧୀନ ଥିବାବେଳେ ୬୩ଟି ଖାରଜ ହୋଇ ଯାଇଛି। ଅବଶିଷ୍ଟ ୧୯୧ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କେବଳ ବିଡିଏ ନୁହେଁ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ମଧ୍ୟ ବହୁ ବେଆଇନ ଆପାର୍ଟମେଣ୍ଟ ଗଢ଼ି ଉଠିଛି। ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ/କୋଠାବାଡ଼ି ନିର୍ମାଣ ବିରୋଧରେ ୧୪୪୪ଟି ମାମଲା ରୁଜୁ ହୋଇଛି। ସେଥିରୁ ୪୫୧ ମାମଲା ଫଇସଲା ହୋଇସାରିଛି। ୯୯୩ ମାମଲା ବିଚାରାଧୀନ ରହିଛି। ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ-୧୯୮୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି।
ଯଦି ସରକାର ନିଷ୍ପତ୍ତି ଅନୁଯାୟୀ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗନ୍ତି ତେବେ ଏହାକୁ କ୍ରୟ କରିଥିବା ଗ୍ରାହକ କ୍ଷତିରେ ପଡ଼ିବା ଆଶଙ୍କା ରହିଛି। ଗତ କିଛି ବର୍ଷ ଧରି ରାଜଧାନୀରେ ଗଢ଼ି ଉଠୁଥିବା ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହି ଆପାର୍ଟମେଣ୍ଟର ମାଲିକମାନେ କୋର୍ଟର ଦ୍ୱାରସ୍ଥ ହେଉଥିବାରୁ ବିଡିଏ କିମ୍ବା ବିଏମ୍‌ସି କୌଣସି ଗୋଟିଏ ବେଆଇନ ଅଟ୍ଟାଳିକା ଭାଙ୍ଗି ପାରିନାହାନ୍ତି। ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ପରେ ଭାଙ୍ଗିବା ନିର୍ଦ୍ଦେଶ ଥିବା ବେଆଇନ ଆପାର୍ଟମେଣ୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

Share