ବେଆଇନ ଗାଡ଼ି ଚାଳନା : ପ୍ରଥମ ଦିନରେ ଧରାପଡ଼ିଲେ ୧୪ ନାବାଳକ

ଛତ୍ରପୁର/ଭଞ୍ଜନଗର/ପାରଳାଖେମୁଣ୍ଡି,୨୯।୩(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪ ନାବାଳକଙ୍କୁ ଧରାଯାଇଛି। ଗଞ୍ଜାମ ଆରଟିଓ ପକ୍ଷରୁ ୪ଟିମ ଗଠନ କରି ୧୨ ଜଣ ଓ ଭଞ୍ଜନଗର ପରିବହନ ବିଭାଗ ଗୋଟିଏ ଟିମ କରି ୨ ଜଣକୁ ଧରିଥିବା ଆରଟିଓ ପକ୍ଷରୁ କୁହାଯାଇଛି। ଜଣେ ପିଛା ୨୫ ହଜାର ଲେଖାଏଁ ଜରିମାନା ପକାଯାଇଛି । ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ କାଉନସିଲିଂ କରାଯିବ ବୋଲି ଆରଟିଓ ଗଞ୍ଜାମ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏହି ଧରପଗଡ଼ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ସେହିପରି ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କେଏସ୍‌ୟୁବି କଲେଜ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ୧୮ ବର୍ଷରୁ କମ୍‌ ଗାଡ଼ିଚାଳକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ସମୟରେ ୨ଜଣ ଛାତ୍ର ବେନିୟମ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗରେ ତାଙ୍କ ଅଭିଭାବକଙ୍କୁ ନୋଟିସ୍‌ ପଠାଯାଇଛି। ଏଥିସହ ଜରିମାନା ପକାଯାଇଛି । ପୂର୍ବରୁ କଲେଜରେ ପଢ଼ୁଥିବା ୧୮ ବର୍ଷରୁ କମ୍‌ ଛାତ୍ରୀଛାତ୍ରମାନେ ବେନିୟମ ଭାବେ ଗାଡ଼ି ଚଳାଉଥିଲେ। ବର୍ତ୍ତମାନ ଭଞ୍ଜନଗର ସହରରେ ଥିବା କେତେକ ଘରୋଇ ହାଇସ୍କୁଲର ଛାତ୍ରୀଛାତ୍ରମାନେ ମଧ୍ୟ ବେନିୟମ ଭାବେ ଗାଡ଼ିରେ ଯିବା ଆସିବା କରୁଛନ୍ତି। ଅପରପକ୍ଷେ ଦୁର୍ଘଟଣା ହ୍ରାସ କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜରେ ସଚେତନତା କାର୍ଯ୍ୟକ୍ରମ ବାରମ୍ବାର କରାଯାଉଛି। ନାବାଳକମାନେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ସେମାନଙ୍କ ଅଭିଭାବକଙ୍କୁ ଜେଲ ଏବଂ ଜରିମାନା ବ୍ୟବସ୍ଥା ଅଛି। ଯେଉଁ ନାବାଳକ ଗାଡ଼ି ଚଳାଉଥିବେ ଧରାପଡ଼ିଲେ ତାଙ୍କର ଡ୍ରାଇଭିଂ ଲାଇନ୍ସେ ୨୫ ବର୍ଷ ପାଇଁ ରଦ୍ଦ କରାଯିବା ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିବା କହିଛନ୍ତି ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ। ଗଞ୍ଜାମ ଜିଲାରେ ୨୦୨୨ରେ ସଡ଼କ ଦୁର୍ଘଟଣା ରେ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ, ଯାହାକି ରାଜ୍ୟରେ ପ୍ରଥମ।
ସେହିପରି ଗଜପତି ଜିଲାରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମଙ୍ଗଳବାର ମିଳିତ ଯାଞ୍ଚ କରାଯାଇଛି। ଏହି ସମୟରେ ଆମାନିୟାଙ୍କଠାରୁ ମୋଟ ୨୨୮,୮୮୦ ଜରିମାନା ଆଦାୟ ହୋଇଛି। ଏ ନେଇ ମୋଟ ୪୫ ମାମଲା ରୁଜୁ ହୋଇଥିଲେ ମଧ୍ୟ କେହି ନାବାଳକ ନଥିବା କୁହାଯାଇଛି।
ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରୀଛାତ୍ର ବିପଦଜନକ ଭାବେ ସ୍କୁଟି, ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫଳ ସ୍ବରୂପ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ ହୋଇଛି।

Share