ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ: ୮ ଗିରଫ

ଗଞ୍ଜାମ, ୧୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳିବନ୍ଧସ୍ଥିତ ଋଷୁକୁଲ୍ୟା ମୁହାଣ ଠାରୁ ୮ କିଲୋମିଟର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ସୋମବାର ବିଳମ୍ବିତ ରାତିରେ ଜବତ କରାଯାଇଛି। ସେହି ଟ୍ରଲରରେ ଥିବା ୮ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତ ଯୁବକ ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି। ଜବତ ଟ୍ରଲର ଓ ଗିରଫ ଯୁବକମାନଙ୍କୁ ଫିସର ଡିପାର୍ଟମେଣ୍ଟ ଆର୍ଯ୍ୟପଲ୍ଲୀ ମେରାଇନ ଥାନାକୁ ହସ୍ତାନ୍ତର କରାଯାଇଥିବା ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମାଲିକ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ଜବତ କରାଯାଇଥିବା ବିପୁଳ ପରିମାଣର ମାଛକୁ ପୁରୁଣାବନ୍ଧ ଓ ପାଳିବନ୍ଧ ମହିଳା ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ବେଳେ ଫରେଷ୍ଟର ସୋମନାଥ ମାଲିକଙ୍କ ସମେତ ନିରାକାର ବେହେରା, ରାଜେଶ୍ୱର ବେହେରା ଓ ୧୨ଜଣ ବନ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଉ ମାତ୍ର ଦିନ କେଇଟା ପରେ ବିରଳ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ। ଏହି ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି ।ଏଥିପାଇଁ ବନ ବିଭାଗ କର୍ମଚାରୀମାନେ ଦୈନଦିନ କଡା ପ୍ରହାର ମାରୁଛନ୍ତି ।

Share