ପାଟନା,୧୮।୧୨ : ବିହାରରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ସଂଖ୍ୟା ୮୪ରେ ପହଞ୍ଚିଛି। ରାଜ୍ୟରେ ମଦ ନିଷେଧ ଆଇନ ଲାଗୁ ହୋଇଛି। ଜଣେ ମଦ୍ୟପାନ କଲେ ମଧ୍ୟ ଜେଲକୁ ଯିବାର ଆଇନ ରାଜ୍ୟରେ ପ୍ରଚଳିତ। ତଥାପି ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ବିହାର-ଉତ୍ତରପ୍ରଦେଶ ସୀମାନ୍ତ ଅଞ୍ଚଳରେ ବିଷାକ୍ତ ମଦ କିଣାଯାଇ ବିକ୍ରି ହେଉଛି। ବାସ୍ତବରେ, ବିହାର-ନେପାଳ ସୀମା ହେଉ କିମ୍ବା ବିହାର-ଉତ୍ତରପ୍ରଦେଶ ସୀମା ହେଉ, କେତେକ ସ୍ଥାନରେ ଏହି ରାସ୍ତା ଏକ ସୀମା ରେଖା ଭାବରେ କାମ କରୁଛି ଏବଂ କେତେକ ସ୍ଥାନରେ ଏହା ପାଦଚଲା ରାସ୍ତା ବି ରହିଛି। ଏହି କାରଣରୁ, ୟୁପି ହେଉ କିମ୍ବା ନେପାଳ ହେଉ, ବିପୁଳ ପରିମାଣର ମଦ ବିହାରରେ ପହଞ୍ଚି ସୀମାନ୍ତ ଜିଲାରେ ବିକ୍ରି ହେଉଛି।
ନେପାଳ ସୀମା ଅଞ୍ଚଳରେ ଘର ଭିତରେ ମଦ ଭାଟି ମଧ୍ୟ ଲଗାଯାଇଛି। ତେଜରାତି ଦୋକାନରେ ମଧ୍ୟ ମଦ ବିକ୍ରି ହେଉଛି। ବିହାରରେ ସୀମା ଅଞ୍ଚଳର ଲୋକମାନେ ସୀମାକୁ ଯାଇ ଅତି ସହଜରେ ମଦ କିଣୁଛନ୍ତି। ଗୋପାଳଗଞ୍ଜ ସହିତ ସଂଯୁକ୍ତ ଉତ୍ତରପ୍ରଦେଶର କୁଶିନଗରରେ ଦିନ ରାତି ୨୪ ଘଣ୍ଟା ଦେଶୀ ମଦ ଖୋଲାଖୋଲି ଭାବରେ ଉପଲବ୍ଧ ହେଉଛି। ଏନେଇ ରାଜ୍ୟ ପ୍ରଶାସନ ଉଦାସୀନ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି।