ପୁଣି ଚାଲିଲା ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା ଅଞ୍ଚଳରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ହେଲେ ୨/୩ ଦିନ ବନ୍ଦ କରିଦେଇ ପୁନର୍ବାର ସେହି ବେଆଇନ ଖାଦାନଗୁଡ଼ିକ ଚାଲୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅଧୀନ ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତରେ ଏହିଭଳି ବେଆଇନ ଖାଦାନ ଦୀର୍ଘ ଦିନ ହେବ ଚାଲିଛି। ଯେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ସେହି ସମୟରେ ପ୍ରଶାସନ ତରଫରୁ ନାଲିପତାକା ପୋତାଯିବା ସହ ୧୪୪ ଧାରା ଜାରି କରିବା ଭଳି ପଦକ୍ଷେପ ନିଆଯାଉଛି। ଯେଉଁଥି ପାଇଁ ପଥରମାଫିଆ ସେହି ୨/୩ ଦିନ ବନ୍ଦ କରିଦେଉଛନ୍ତି, ପରେ ପୁଣି ଖାଦାନ ଆରମ୍ଭ କରୁଛନ୍ତି। ଜଙ୍ଗଲ ଜମି, ଅନାବାଦୀ ଓ ଗୋଚର ଜମିରୁ ବାରମ୍ବାର ଖନନ ପ୍ରକ୍ରିୟା ଚାଲୁଥିଲାବେଳେ ରାଜସ୍ବ ବିଭାଗ, ପୋଲିସ ଓ ବନବିଭାଗ ଅଧିକାରୀ ସବୁଦେଖି ନ ଦେଖିଲା ପରି ଅଭିନୟ କରୁଛନ୍ତି।
କିଛି ଦିନ ହେବ ବୈରୀ ଓ ପାରିଆ ପଞ୍ଚାୟତର ମଧ୍ୟସ୍ଥଳରେ ଥିବା ଭାଲୁଖାଇଠାରେ ପାଖାପାଖି ୧୦ ଏକର ପରିମିତ ଜାଗାରୁ ବେଆଇନ ମାଙ୍କଡ଼ା ପଥର କାଟି ବାହାରକୁ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ଗତ ୨୪ ମାସ ତାରିଖରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ପୁନଃର୍ବାର ୨୭ତାରିଖରୁ ଏଠାରେ ୨ ଜେସିବି ମେଶିନ୍‌, ୭ ପାୱାର ଟିଲର ଓ ୨୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏହି ଖନନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଖବର ଥିଲେ ମଧ୍ୟ କେହି ବନ୍ଦ କରିବାର ନଁା ଧରୁନାହାନ୍ତି। ଯେଉଁଥି ପାଇଁ ବିପୁଳ ଟଙ୍କାର ରାଜସ୍ବ ହାନି ଘଟୁଛି। ୧୫ବର୍ଷ ତଳେ ତତ୍କାଳୀନ ଆରଡିସି ଅରବିନ୍ଦ ପାଢ଼ୀ ଏହି ଖାଦାନ ଗୁଡ଼ିକରେ ଚଢ଼ାଉ କରି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ୩ ରାଜସ୍ବ କର୍ମଚାରୀ ଓ ୩ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ଏହି ଘଟଣା ପରେ ଏଠାରେ ବେଆଇନ ଖାଦାନ ବନ୍ଦ ହୋଇଯାଇଥିଲା। ଗତ ୫ବର୍ଷ ହେବ ପୁନର୍ବାର ଏହି ବେଆଇନ ଖାଦାନ ଲୁଚାଛପାରେ ଚାଲୁଛି। ଏମାନେ ଦିନରେ ପଥର କାଟୁଥିଲା ବେଳେ ରାତିରେ ଟ୍ରକଯୋଗେ ପରିବହନ କରୁଛନ୍ତି। ଦୈନିକ ଶହେ ଟ୍ରକରୁ ଅଧିକ ମାଲ ପରିବହନ ହେଉଛି। ତେଣୁ ତୁରନ୍ତ ଯାଜପୁର ଜିଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଆମ ଅଞ୍ଚଳରେ ଚାଲୁଥିବା ଚୋରା ମାଙ୍କଡ଼ା ଖାଦାନଗୁଡ଼ିକ ବନ୍ଦ ଅଛି। ଆମ ସୀମାନ୍ତ କଟକ ଜିଲାର ଟାଙ୍ଗୀ ତହସିଲ ଓ ଢେଙ୍କାନାଳ ଜିଲାର ଗଁନ୍ଦିଆ ତହସିଲ ଅଞ୍ଚଳରେ ଚୋରା କାରବାର କରାଯାଉଛି।

Share