ନିରାକାରପୁର,୨୬।୨(ଡି.ଏନ୍.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଦୈନିକ ବେଆଇନ ଭାବେ ଖଣି ଖନନ କରିବା ସହିତ ଶହ ଶହ ଟ୍ରକ୍ ଓ ଟ୍ରାକ୍ଟରରେ ମୋରମ, ମାଙ୍କଡ଼ା ପଥର ଚାଲାଣ କରୁଛନ୍ତି। ଗୁରୁବାର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଭୂଷଣ୍ଡପୁର ଫରେଷ୍ଟର ସିଧୁ ଚରଣ ସିଂଙ୍କ ସମେତ ବନ କର୍ମଚାରୀମାନେ ଏହି ବାନଞ୍ଚଳ ଅଧୀନରେ ଥିବା ଭୂଷଣ୍ଡପୁର ନିକଟ ପାତ୍ରପଡ଼ା ମୌଜାସ୍ଥିତ ଖଣିରେ ଚଢ଼ାଉ କରିଥିଲେ। ଏଥିସହ ଏହାର ଚତୁଃପାର୍ଶ୍ୱ ଯାତାୟାତ ରାସ୍ତାକୁ ଜେସିବି ମାଧ୍ୟମରେ ଗାତ ଓ ମାଟି ପକାଇ ସିଲ୍ କରିଛନ୍ତି। ତେବେ ସିଲ୍ କାର୍ଯ୍ୟରେ ଲାଗିଥିବା ଜେସିବିର ଚାଳକଙ୍କୁ ମାଫିଆମାନେ ଧମକ ଦେଇଥିବା ଜଣାପଡ଼ିଛି। କେହି ବ୍ୟକ୍ତି ଏହି ରାସ୍ତାକୁ ସଫା କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫରେଷ୍ଟର ସିଂ କହିଛନ୍ତି।