ଖରସ୍ରୋତା ନଦୀରୁ ବେଆଇନ ବାଲି ଚାଲାଣ

ରସୁଲପୁର,୪ା୩(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ପହଁଗା ରାଜସ୍ବ ସର୍କଲର ଖରସ୍ରୋତା ନଦୀରୁ ବାଲି ଚୋରାଚାଲାଣ ହେଉଛି। ମାଫିଆମାନେ ଏକ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ରାତି ଅଧିଆ ନଦୀଗର୍ଭରୁ ବାଲି ଉଠାଇ ଆଣି ପଠାରେ ଠୁଳ କରି ରଖୁଛନ୍ତି। ଦିନରେ ବିଭିନ୍ନ ସ୍ଥାନକୁ ପରିବହନ କରି ମାଲାମାଲ ହେଉଛନ୍ତି। ଏହିଭଳି ଘଟଣା ରାଜସ୍ବ ସର୍କଲଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟୁଛି। ତାହା ପୁଣି ଯାଜପୁରରୋଡ-କୁଆଖିଆ ଯାତାୟାତ ରାସ୍ତା ପାର୍ଶ୍ୱରେ ଖୋଲାମେଲାରେ। ମାତ୍ର ଏହାକୁ ପ୍ରଶାସନିକ ଅଧିକାରୀ ଦେଖି ନ ଦେଖିଲା ଭଳି ଆଚରଣ କରିବା ମାଫିଆଙ୍କୁ ବାଲି ଚୋରାଚାଲାଣ କରିବାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଛି। ମାଫିଆ ମେଶିନ ସହାୟତାରେ ଶହଶହ ଟ୍ରିପ ବାଲି ନଦୀରୁ ଉଠାଇ ଗଦା କରି ରଖୁଛନ୍ତି। ବିନା ପ୍ରଶାସନ ଅନୁମତିରେ ଅନାବଶ୍ୟକ ଭାବରେ ବାଲି ଠୁଳ କରି ରଖିବା ଲଘୁ ଖଣିଜଜାତ ଦ୍ରବ୍ୟ ଲୁଟ୍‌ ଆଇନ ପରିସରଭୁକ୍ତ। ତେବେ କିଏ ଓ କେଉଁ କାରଣରୁ ଏତେ ବାଲି ଗଚ୍ଛିତ କରି ରଖିଛନ୍ତି, ତାହାକୁ ଯାଞ୍ଚ କରିବା ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ। ମାତ୍ର ଅଧିକାରୀଙ୍କ ଢିଲାପଣ ଯୋଗୁ ତହସିଲ ଅଧୀନରେ ନିଇତି ହଜାରହଜାର ଟ୍ରିପ ବାଲି ଚୋରାଚାଲାଣ ହେଉଛି।
ସେହିପରି ଏହି ସ୍ଥାନ ଛଡ଼ା ତହସିଲ ଅଧୀନ ଏକାଧିକ ନିଲାମ ଘାଟରୁ ବେଆଇନ ବାଲି ଚାଲାଣ ମଧ୍ୟ ହେଉଛି। ଅନ୍ୟୁନ ୬ରୁ ଊର୍ଦ୍ଧ୍ୱ ଘାଟରୁ ନିଲାମଧାରୀ ବାଲି ଉଠାଇବା ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ଶ୍ରମିକ ବଦଳରେ ମେଶିନ ସହାୟତାରେ ବାଲି ଲୋଡିଂ କରୁଛନ୍ତି। ସେହିପରି ଟ୍ରାକ୍ଟର ବଦଳରେ ହାଇୱାରେ ବାଲି ପରିବହନ ହେଉଛି। ନିର୍ଦ୍ଧାରିତ ସୀମା ଓ ପରିମାଣଠାରୁ ଅଧିକ ବାଲି ଉତ୍ତୋଳନ କରାଯାଉଛି। ଏଭଳି ସ୍ଥିତି ବ୍ରାହ୍ମଣୀ ନଦୀର କରଜଙ୍ଗା ଘାଟରେ ଦେଖାଯାଉଛି। ଯାହାକୁ ତହସିଲ ପ୍ରଶାସନ ରୋକିବାରେ ବିଫଳ ହେଉଛି। ଅନ୍ୟପକ୍ଷଷର ଦୈନିକ ଶତାଧିକ ଭାରିଯାନ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବାରୁ ଗ୍ରାମାଞ୍ଚଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ତେଣୁ ଏ ଦିଗରେ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହୋଇଛି। ଘଟଣା ସମ୍ପର୍କରେ ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ବାଲି ଗଚ୍ଛିତ ହେବା ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ତେଣୁ ଆଗକୁ ତଦନ୍ତ କରିବା ସହ ତହସିଲଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।