ଝାରପଡ଼ା ଜେଲରୁ ବିଦେଶକୁ ଯାଉଥିଲା କଲ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ):କଟକଣା ସତ୍ତ୍ୱେ ଝାରପଡା ଜେଲକୁ ବେଆଇନ ମୋବାଇଲ୍‌ ଫୋନ୍‌ ଯାଉଛି। ଯେତେ ଜବତ କଲେ ସେତେ ମିଳୁଛି। ଅଧିକାଂଶ ମୋବାଇଲ୍‌ ଫୋନ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଓ ହାଇପ୍ରୋଫାଇଲ୍‌ ଅଭିଯୁକ୍ତଙ୍କ ସେଲ୍‌ ନିକଟ ମାଟିତଳୁ ମିଳୁଥିବାରୁ ସତେ ଯେମିତି ଏଠାରେ ଖଣି ପଡିଥିବା ଭଳି ଲାଗୁଛି। କେବଳ ମେ’ ମାସ ୨୩ ଦିନରେ ୧୩ଟି ଫୋନ୍‌ ଜବତ ହେଲାଣି। ଜେଲ୍‌ ଭିତରକୁ ମୋବାଇଲ୍‌ ଫୋନ୍‌, ଟଙ୍କା ଓ ନିଶାଦ୍ରବ୍ୟ ଯାଉଥିବାର ଅନେକ ପ୍ରମାଣ ମିଳିଛି। ଭିତରେ ଅପରାଧୀମାନେ ମୋବାଇଲ୍‌ ଫୋନ୍‌ରେ ଅପରାଧ ନିୟନ୍ତ୍ରଣ କରୁଥିବା ନଜିର ରହିଛି। ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେଲ୍‌ ନିକଟରୁ ମୋବାଇଲ୍‌ ଫୋନ୍‌ ମିଳିବା, କଏଦୀମାନେ କର୍ମଚାରୀଙ୍କୁ ଟଙ୍କା ଦେଇ ନିଶା ସେବନ କରିବା ସହ ମଉଜମସ୍ତି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଜେଲ୍‌ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ନୂତନ ଭାବେ ଯୋଗଦେଇଥିବା ଜେଲ ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କ ନେତୃତ୍ୱରେ ରବିବାର ଚଢାଉ ଓ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମାଟି ତଳେ ପୋତା ହୋଇଥିବା ଏକ ମୋବାଇଲକୁ ଜବତ କରାଯାଇଛି। ମୋବାଇଲ ଫୋନ୍‌ଟି ଜଣେ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ସେଲ ନିକଟରୁ ମିଳିଛି। ବଡ କଥା ହେଉଛି, ଉକ୍ତ ମୋବାଇଲରୁ ବିଦେଶକୁ ବାରମ୍ବାର କଲ୍‌ ହୋଇଛି। ତଦନ୍ତବେଳେ ଉକ୍ତ ମୋବାଇଲରୁ ଗୋଟିଏ ମିନିଟକୁ ୧୦୦ ଟଙ୍କା ହିସାବରେ ଆଇଏସ୍‌ଡି କଲ୍‌ କରାଯାଉଥିଲା। ଏଥିରୁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ ରହିଥିବା ଜେଲ ବିଭାଗ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିବା ଅଧୀକ୍ଷକ ବିଶ୍ୱାଳ କହିଛନ୍ତି।
ସୂଚନାଯୋଗ୍ୟ, କିଛିମାସ ଭିତରେ ଜେଲ୍‌ ପରିସରରୁ ବିପୁଳ ମୋବାଇଲ୍‌ ଫୋନ୍‌ ମିଳିଲାଣି। କେବଳ ମେ’ ମାସରେ ୧୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ମେ ୧ରେ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ପରେ ଚଢାଉ କରାଯାଇ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ ପଛପଟୁ ଗୋଟିଏ ମୋବାଇଲ ଫୋନ ମିଳିଥିଲା। ସେହିପରି ୧୦ ତାରିଖରେ ୯ଟି ଓ ୧୨ ତାରିଖରେ ୨ଟି ମୋବାଇଲ ଫୋନ ଜବତ ହୋଇଥିଲା।

Share