ବେଆଇନ ପାର୍କିଂ ବଢ଼ାଉଛି ଦୁର୍ଘଟଣା

ଭୁବନେଶ୍ୱର,୨।୭(ଅନିଲ ଦାସ)ରାସ୍ତାକଡ଼ରେ ବେଆଇନ ପାର୍କିିଂ ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ୯ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, କେନ୍ଦୁଝର ଏବଂ ବ୍ରହ୍ମପୁରରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ୱର, ଭଦ୍ରକ ଓ ନବରଙ୍ଗପୁର ଜିଲାରେ ନିର୍ମାଣ କରିବାକୁ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଏହି ଟର୍ମିନାଲ ନିର୍ମାଣ କରାଯିବ। ଟର୍ମିନାଲ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାକୁ ମୁଖ୍ୟଯନ୍ତ୍ରୀ (ରୋଡ୍‌ ଆଣ୍ଡ ବିଲ୍ଡିଂ)ଙ୍କୁ ଦାୟିତ୍ୱ ଦିଆଯାଇଛି। ଟର୍ମିନାଲ ପାଇଁ ଅତି କମ୍‌ରେ ୧୦ ଏକର ଜାଗା ଚିହ୍ନଟ କରାଯାଇଛି।
ଟର୍ମିନାଲରେ ଡ୍ରାଇଭରମାନଙ୍କ ରହଣି ନିମନ୍ତେ ଆଶ୍ରୟ ସ୍ଥଳ, ଗାଡ଼ି ମରାମତି ପାଇଁ ଗ୍ୟାରେଜ, ରେଷ୍ଟୁରାଣ୍ଟ, ପେଟ୍ରୋଲ ପମ୍ପ, ଓ୍ବେ ବ୍ରିଜ୍‌, ଲୋଡିଂ ଓ ଅନ୍‌ଲୋଡିଂ ପାଇଁ ସ୍ଥାନ, ଏଟିଏମ୍‌, କ୍ଲିନିକ୍‌ ଓ ଅନ୍ୟାନ୍ୟ ସୁବିଧା ରହିବ। ନିର୍ମାଣ ପରେ ଟର୍ମିନାଲଗୁଡ଼ିକୁ ସରକାରୀ ଘରୋଇ ଭାଗୀଦାରି(ପିପିପି) ମୋଡ୍‌ରେ ରକ୍ଷଣାବେକ୍ଷଣ ପ୍ରଦାନ କରାଯିବ। ଟର୍ମିନାଲ ନିର୍ମାଣ କରିବାକୁ ଘରୋଇ ସଂସ୍ଥା ଆଗ୍ରହ ଦେଖାଉ ନ ଥିବାରୁ ରାଜ୍ୟ ସରକାର ନିଜେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଟ୍ରକ୍‌ଗୁଡ଼ିକୁ ଜାତୀୟ ରାଜପଥ କଡ଼ରେ ପାର୍କିଂ କରାଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ରାଜପଥ କଡ଼ରେ ଟର୍ମିନାଲ ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ସେଗୁଡ଼ିକ ନିର୍ମାଣ କରାଯିବ। ଏହାଦ୍ୱାରା ଦୁର୍ଘଟଣା କିଛିମାତ୍ରାରେ ହ୍ରାସପାଇବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ରେ ରାଜ୍ୟରେ ୫୦୮୧ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ସେଥିରୁ ୨୫% କେବଳ ରାସ୍ତାକଡ଼ରେ ବେଆଇନ ପାର୍କିଂ ଯୋଗୁ ହୋଇଛି। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ପରିବହନ ଗବେଷଣା ସଂସ୍ଥା ରିପୋର୍ଟ ଅନୁଯାୟୀ ୨୦୨୧ରେ ସମଗ୍ର ଦେଶରେ ଜାତୀୟ ରାଜପଥରେ ୧,୨୮,୮୨୫ ସଡ଼କ ଦୁର୍ଘଟଣା (୩୧.୨୧%) ହୋଇଥିବା ବେଳେ ରାଜ୍ୟ ରାଜପଥରେ ୯୬,୩୮୨(୨୩.୪%) ଦୁର୍ଘଟଣା ଘଟିଛି।

Share