ବେଆଇନ ପାର୍କିଂ ନେଉଛି ଜୀବନ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ଘଟଣା ରୋକିବା ପାଇଁ ଶୁକ୍ରବାରଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କେନ୍ଦୁଝର ଜିଲା ଘଟଗଁା ଥାନା ଅଞ୍ଚଳରେ ଏକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିବା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ହେଉଛି। ଏହାଦ୍ୱାରା ଅନେକ ସମୟରେ ଏଭଳି ଦୁର୍ଘଟଣାମାନ ଘଟୁଛି। ଗୁରୁବାର ପାଟ୍ରୋଲିଂ କରାଯାଇଥିଲେ ବ୍ରେକ୍‌ ଡାଉନ ଗାଡ଼ିକୁ କ୍ରେନ୍‌ ସହାୟତାରେ ରାସ୍ତାରୁ ସାଇଡ୍‌ କରାଯାଇପାରିଥାନ୍ତା। ନଚେତ୍‌ ବ୍ୟାରିକେଡ୍‌ ଦେଇ ସତର୍କ ସୂଚନା ଲଗାଯାଇ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, ଜିଲାରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଧରପଗଡ଼ କରାଯାଉଛି। ମାତ୍ର ଦ୍ରୁତଗତିରେ ବେପାରୁଆ ଭାବରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ିଚାଳନା, ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିନା ପାର୍କିଂ ବ୍ୟବସ୍ଥାରେ ରାସ୍ତାକଡ଼ରେ ଢାବା, ଦୋକାନ ବଜାର ଗଢ଼ି ଉଠୁଥିବାରୁ ଡ୍ରାଇଭର ଗାଡ଼ିଗୁଡ଼ିକ ରାସ୍ତା ଉପରେ ରଖି ଖାଇବାକୁ ଯାଉଛନ୍ତି। ବିଶେଷକରି କେନ୍ଦୁଝର ଜିଲା ଘଟଗଁା, ସଦର, ଟାଉନ, ଝୁମ୍ପୁରା ଆଦି ଥାନା ଅଞ୍ଚଳରେ ଏନ୍‌ଏଚ୍‌-୨୦ ଉପରେ ବହୁ ସଂଖ୍ୟାରେ ବେଆଇନ ଭାବରେ ଟ୍ରକ୍‌ ପାର୍କିଂ ହେଉଛି। ଏନ୍‌ଏଚ୍‌ଏଆଇ ବିଭାଗ ମଧ୍ୟ ଏ ନେଇ ନିୟମିତ ପାଟ୍ରୋଲିଂ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ଛିଡ଼ା ହୋଇଥିବା ଗାଡ଼ି ପଛରେ ଅନ୍ୟ ଗାଡ଼ି ପିଟିହୋଇ ଅନେକ ଜୀବନ ଯାଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ରାସ୍ତା ଉପରେ ଛିଡ଼ା କରୁଥିବା ଗାଡ଼ି ମାଲିକ ଓ ଚାଳକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ରେକ୍‌ ଡାଉନ ଟ୍ରକ୍‌ଗୁଡ଼ିକ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଘଟଗଁା ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗେଇ କହିଛନ୍ତି, ଗୁରୁବାର ପାଟ୍ରୋଲିଂ ଦାୟିତ୍ୱରେ ଥିବା କର୍ମଚାରୀ ଆନ୍ଦୋଳନରେ ଥିବାରୁ ପାଟ୍ରୋଲିଂ କରି ନ ଥିଲେ। ଶୁକ୍ରବାର ସକାଳେ ସୂଚନା ପାଇ ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଗାଡ଼ି ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଘଟଣାରେ ଏନ୍‌ଏଚ୍‌ଏଆଇ ବିରୋଧରେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
୯ମାସରେ ୫୭୬ ଦୁର୍ଘଟଣା, ୧୮୬ ମୃତ
୨୦୨୩ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୫୭୬ ଦୁର୍ଘଟଣାରେ ୧୮୬ ଜଣ ମୃତ୍ୟୁ ଘଟିଥିବା ବେଳେ ୪୭୯ ଆହତ ହୋଇ ବିକଳାଙ୍ଗ ହୋଇଛନ୍ତି। ୨୦୨୨ରେ ୪୮୭ଟି ଦୁର୍ଘଟଣାରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୮ ଜଣ ଆହତ ହୋଇଥିଲେ। ଗତ ବର୍ଷଠାରୁ ଚଳିତ ବର୍ଷ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି।