ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା

ଯାଜପୁର ଅଫିସ/ଧର୍ମଶାଳା/ ଜେନାପୁର(ଡି.ଏନ.ଏ.)୫।୧୦: ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନରେ ଗତ ସପ୍ତାହ ମଧ୍ୟରେ ୨ ଜଣ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରିଆ ଗ୍ରାମର ମୃତ ଶ୍ରମିକ ମଦନ ବାର୍ଲାଙ୍କ ମୃତଦେହକୁ ବିଛାଖଣ୍ଡି ନିକଟ ଏକ କାଜୁ ବଗିଚାରେ ପୋଡ଼ି ଦେଇଛନ୍ତି। ଅନ୍ୟ ଆହତ ଶ୍ରମିକ ହିମାଂଶୁ ମଲ୍ଲିକ ଚିକିତ୍ସାଧୀନ ଅଛନ୍ତି। ଜେନାପୁର ଥାନା ପୋଲିସ ଏହି ଘଟଣା ସଂକ୍ରାନ୍ତରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିଜ ତରଫରୁ ଏକ ମାମଲା (ନଂ ୩୧୮/୨୬ା୯ା୨୦୨୦) ରୁଜୁ କରି ଆଇପିସି ଦଫା ୨୮୭/୩/୩୩୭/୩୦୪(ଏ)/୨୦୧/୧୭୬/୩୭୯/୫୧୧/୩୪ ଏବଂ ୨୧ ଏମଏମଡିଆର ଆକ୍ଟ ଅନୁଯାୟୀ ବେଆଇନ ପଥର ଖାଦାନର ମାଲିକ ଅଞ୍ଚଳ ପ୍ରଧାନଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଏଯାଏ ଗିରଫ କରାଯାଇପାରିନାହିଁ। ଅନ୍ୟପକ୍ଷେ ଗତ ୨୨ ତାରିଖ ଅପରାହ୍ନରେ କୁସୁନପୁର ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖାଦାନରେ ପଡି ମୁରାରିପୁର ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ରହସ୍ୟ ଏଯାଏ ପର୍ଦ୍ଦାଫାଶ ହୋଇ ପାରିନାହିଁ। ଏହି ମୃତ୍ୟୁ ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଚପାଇ ଦିଆଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୬ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଗମ୍ଭାରିଆ ଗ୍ରାମର ଶ୍ରମିକ ମଦନ ବାର୍ଲା ଓ ହିମାଂଶୁ ମଲ୍ଲିକ ବିଛାଖଣ୍ଡିର ଏକ ବେଆଇନ ପଥର ଖାଦାନରେ ଡ୍ରିଲିଂ କାର୍ଯ୍ୟରେ ନିୟୋଜିତ ଥିଲେ। ଅଭିଯୁକ୍ତ ଧର୍ମଶାଳା ବ୍ଲକ ଏଣ୍ଡଲବା ପଞ୍ଚାୟତ ରାଧାକାନ୍ତପୁର ଗ୍ରାମର ଅଞ୍ଚଳ ପ୍ରଧାନ ଏହି ଶ୍ରମିକମାନଙ୍କୁ ନିୟୋଜିତ କରିଥିଲେ। ଏହି ସମୟରେ ପାହାଡ ଉପରୁ ଏକ ବଡ ପଥର ଉଭୟ ଶ୍ରମିକଙ୍କ ଦେହରେ ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ବାଟରେ ମଦନଙ୍କ ମୃତ୍ୟୁ ହୋଇଥିଲା। ଫଳରେ ମଦନଙ୍କ ମୃତଦେହକୁ ଫେରାଇ ଆଣି ବିଛାଖଣ୍ଡି ପାହାଡ଼ ନିକଟ ଏକ କାଜୁ ଜଙ୍ଗଲରେ ପୋଡ଼ି ଦିଆଯାଇଥିଲା। ଘଟଣାର ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବାକୁ ଯାଇ ମଦନଙ୍କ ପରିବାରବର୍ଗ କିମ୍ବା ପୋଲିସକୁ କୌଣସି ସୂଚନା ଦିଆଯାଇ ନ ଥିଲା। ଜେନାପୁର ଥାନା ପୋଲିସ ଏନେଇ ତଦନ୍ତ କରିବା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହେଲେ ଗତ ୫ ବର୍ଷ ମଧ୍ୟରେ ବେଆଇନ ଖାଦାନଗୁଡ଼ିକରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ହେଲାଣି। ଯେଉଁ ଘଟଣା ଲୋକଲୋଚନକୁ ଆସୁଛି ସେନେଇ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଅନେକ ଘଟଣାକୁ ଚାପି ଦିଆଯାଉଛି। ବିଛାଖଣ୍ଡି ପାହାଡ଼ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜେନାପୁର ଆଇଆଇସି ଆଶିଷ କୁମାର ସାହୁ ପ୍ରକାଶ କରିଛନ୍ତି।