ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ

କେନ୍ଦୁଝର,୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ବଣିଆପାଟ ଖୁଣ୍ଟାପଡ଼ା ମୌଜାରେ ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜମି ଜବରଦଖଲ କରାଯାଇ ବହୁ ଘର ନିର୍ମାଣ ହୋଇଥିବାବେଳେ ସେ ସବୁ ଉଚ୍ଛେଦ କରିବା ପରିବର୍ତ୍ତେ ପୌରପାଳିକା ପକ୍ଷରୁ ସେମାନଙ୍କୁ ରାସ୍ତାଘାଟ ଓ ବିଦ୍ୟୁତ୍‌, ପାଣି ଆଦି ସୁବିଧା ଯୋଗାଇ ଦିଆଯାଉଥିବାରୁ ଠାକୁରଙ୍କ ଜମି ଜବରଦଖଲ ବଢୁଛି।
ପ୍ରକାଶ ଯେ, ଉକ୍ତ ସାହିରେ ଏକାଧିକ ରାସ୍ତାଘାଟ ପୂର୍ବରୁ ନିର୍ମାଣ କରି ପୌର ପ୍ରଶାସନ ଅର୍ଥ ଅପବ୍ୟୟ କରିଛି। ଦେବୋତ୍ତର ବିଭାଗ ପକ୍ଷରୁ ଏଭଳି ବେଆଇନ ନିର୍ମାଣ ଉପରେ ପୌର ପ୍ରଶାସନକୁ ଚିଠି କରି ରୋକ୍‌ ଲଗାଯାଇଥିଲା। ଏହା ସତ୍ତ୍ୱେ ଦେବୋତ୍ତର ଜମିରେ ବେଆଇନ ଭାବରେ ରାସ୍ତା ଓ ଘର ନିର୍ମାଣ ଚାଲିଥିବାରୁ ଅସନ୍ତୋଷ ବଢୁଛି। ପୂର୍ବତନ ଜିଲା ଓକିଲ ସଂଘ ସଭାପତି ଅଶୋକ ଦାସ ମଧ୍ୟ ଉପ ଜିଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗକୁ ଜଣାଇଥିଲେ। ଏହା ପରେ ଦେବୋତ୍ତର ବିଭାଗ ପକ୍ଷରୁ ରାସ୍ତା କାମକୁ ପୂର୍ବରୁ ବନ୍ଦ କରାଯାଇ ବେଆଇନ କାମକୁ ନେଇ ନୋଟିସ କରାଯାଇଥିଲା। ତେବେ ଦେବୋତ୍ତର ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ କିମ୍ବା କେସ କରାଯାଇ ନ ଥିଲା। ଏବେ ପୁଣି ଉକ୍ତ ଅଞ୍ଚଳରେ ବଣିଆପାଟ ଖୁଣ୍ଟାପଡ଼ା ମୌଜାର ଖାତା ନଂ. ୧୩୬/୭ ଓ ପ୍ଲଟନଂ. ୩୯୦ରେ ବଳଦେବଜୀଉଙ୍କ ମୂଲ୍ୟବାନ ଜମିରେ ଦେବୋତ୍ତର ବିଭାଗ ବିନା ଅନୁମତିରେ ବେଆଇନ ଭାବେ ପୌରପାଳିକା ପକ୍ଷରୁ ରାସ୍ତା ନିର୍ମାଣ ଚାଲିଛି। ଏଣୁ ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଓକିଲ ସଂଘର ପୂର୍ବତନ ସଭାପତି ଦାସ ଉପ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ସଦର ଉପ ଜିଲାପାଳ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ଠାକୁରଙ୍କ ଜମିରେ ନିର୍ମାଣ ବେଆଇନ। ଏନେଇ ପାୈରପାଳିକାକୁ ପୂର୍ବରୁ ଚିଠି କରାଯାଇଥିଲା। ତେବେ ଏହା ସତ୍ତ୍ୱେ କାୈଣସି କାର୍ଯ୍ୟ ହେଉଥିଲେ ଘଟଣାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।