ବେଆଇନ ବାଲିଚାଲାଣ: ୧୧ ଗିରଫ

ପରଜଙ୍ଗ, ୧୦ା୩ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ବ୍ରିଜ୍‌ ନିକଟ ବାଲିଘାଟରେ ମଙ୍ଗଳବାର ସନ୍ଧ୍ୟାରେ ତହସିଲଦାର ଖଗେଶ୍ବର ପାତ୍ର ଏବଂ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସଦଳବଳ ଅତର୍କିତ ଚଢ଼ାଉ କରି ୮ ଭାରିଯାନ ସମେତ ୨ ଚେନ୍‌ ମେଶିନ ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୧୧ ଜଣ ଗିରଫ ହୋଇଛନ୍ତି।ଜବତ ଯାନଗୁଡ଼ିକୁ ସରାଙ୍ଗ ଫାଣ୍ଡିରେ ରଖାଯାଇଛି। ଏ ନେଇ ପରଜଙ୍ଗ ଥାନାରେ ନଂ. ୧୧୭/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଉକ୍ତ ବାଲିଘାଟ ନିଲାମ ଦିଆଯାଇଥିବାବେଳେ ଧାର୍ଯ୍ୟଠାରୁ ଅଧିକ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଥିଲା। ଏପରି କି ବିନା ଓଆଇ ଫର୍ମରେ ବାଲି ଚାଲାଣ ହେଉଥିଲା। ବ୍ଲକର ବିଭିନ୍ନ ବାଲିଘାଟରେ ଏଭଳି ବେଆଇନ ବାଲି ଉଠାଣ ହେଉଛି। ତେବେ ଧରପଗଡ଼ରେ ତହସିଲ ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ବିପୁଳ ରାଜସ୍ବ ହାନି ହେଉଥିବା ଅଞ୍ଚଳର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।