ନିଲାମ ଖଣିରେ ବେଆଇନ କାର୍ଯ୍ୟ

ନୟାଗଡ଼ ଅଫିସ,୨୮।୩:ଗଣିଆ ତହସିଲକୁ ଛାଡ଼ିଦେଲେ ନୟାଗଡ଼ ଜିଲାର ୭ ତହସିଲର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁଗୁନି ପଥର ଖଣିର ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି। ନିଲାମ ଖଣିରେ ବେଆଇନ ଖନନ ବଢ଼ି ଚାଲଥିଲେ ମଧ୍ୟ ଧରପଗଡ଼ର ଭୟ ନ ଥିବାରୁ ନିଲାମଧାରୀ ଅବାଧରେ ବେନିୟମ କାର୍ଯ୍ୟ କରି ଭଲ ରୋଜଗାର କରୁଛନ୍ତି । ଅଭିଯୋଗ, ପ୍ରତିବାଦ କଲେ ସୁଫଳ ମିଳୁନି । ଅଧିକାଂଶ ସମୟରେ ଜିଲାପାଳ ଓ ଉପଜିଲାପାଳଙ୍କ ଚଢ଼ାଉ ଭୟ ସୃଷ୍ଟି କରିଥିଲା । ତେବେ କିଛିଦିନ ଧରି ଜିଲାପାଳ ଓ ଉପଜିଲାପାଳଙ୍କ ଅଚାନକ ଧରପଗଡ଼ ବନ୍ଦ ହୋଇ ଯାଇଥିବାରୁ ଏହି ସୁଯୋଗରେ ନିଲାମଧାରୀମାନେ ଭଲ ଫାଇଦା ଉଠାଉଛନ୍ତି ।
ଅଭିଯୋଗ ଅନୁଯାୟୀ, ଜିଲାର ରଣପୁର ତହସିଲରେ ୧୩ ପଥର ଖଣି ନିଲାମ ହୋଇଥିବାବେଳେ ଖଣ୍ଡପଡ଼ା ତହସିଲର ୧୦ ଖଣି ନିଲାମ ହୋଇଛି। ସେହିଭଳି ଭାପୁରରେ ୫, ଦଶପଲ୍ଲାରେ ୫, ନୟାଗଡ଼ରେ ୭, ନୂଆଗଁାରେ ୨, ଓଡ଼ଗଁାରେ ୪ ପଥର ଖଣି ନିଲାମ ହୋଇଛି। ଗଣିଆ ବ୍ଲକରେ ଆଦୌ ଖଣି ନିଲାମ ଦିଆଯାଇନାହିଁ । ଅଧିକାଂଶ ନିଲାମଧାରୀ ଲିଜ୍‌ ସ୍ଥାନକୁ ଛାଡ଼ି ଅନ୍ୟତ୍ର ଖଣି ଖନନ କରୁଥିବା ଅଭିଯୋଗ ହୋଇ ଆସୁଛି । ପୁଣି ବାର୍ଷିକ ଟାର୍ଗେଟ କ୍ୟୁବିକ୍‌ ମିଟରକୁ ମାସକରେ ଶେଷ କରି ଦିଆଯାଉଛି। ୩ ମାସରେ ଥରେ ମାପଚୁପ୍‌ କରି ନିଲାମ ଖଣିକୁ ଅପ୍‌ଟେଡ୍‌ କରାଯିବା ପାଇଁ ନିୟମ ରହିଛି । ହେଲେ ମାପଚୁପ୍‌ ଓ ଧରପଗଡ଼ କରା ନ ଯାଇ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅନୁରୂପ ଅଭିଯୋଗ ହୋଇଛି। ସରକାରୀ ଭାବେ ବ୍ଲାଷ୍ଟିଂକୁ ମନା କରାଯାଇଥିବାବେଳେ ସବୁ ଖଣିରେ ତାହା ଚାଲିଛି । ବେଆଇନ ବିସ୍ଫୋରଣ ଓ ଖଣିଖନନ ନେଇ ଅଧିକାଂଶ ସ୍ଥାନରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ହେଲେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନାହିଁ , ଯାହା ଏକାଧିକ ତହସିଲ ଅଞ୍ଚଳରେ ଆନ୍ଦୋଳନର ରୂପ ନେଉଛି ।
ଏନେଇ ରଣପୁରର ରାମଚନ୍ଦ୍ର ସାହୁ କୁହନ୍ତି, ରଣପୁର ତହସିଲ ଅଞ୍ଚଳରେ ବେଆଇନ ଖଣି ଖନନ ଓ ଲିଜ୍‌ରେ ଚାଲିଥିବା ଖଣିରେ ବେଆଇନ ଖନନ ଚାଲିଛି । ତେବେ ଚଢ଼ାଉର ନଁା ଗନ୍ଧ ନାହିଁ। ଚଢ଼ାଉ ନ ଥିବାରୁ ଖଣିଚୋର ଲାଭରେ ରହୁଛନ୍ତି । ଚଢ଼ାଉ ନ ହେବା ପାଇଁ ପ୍ରତି ମାସରେ ହାତଗୁଞ୍ଜା ଦିଆଯାଉଛି । ଏପରି ଅଭିଯୋଗକୁ ଖଣ୍ଡନ କରାଯାଉଥିଲେ ମଧ୍ୟ ହାତଗୁଞ୍ଜା ବ୍ୟବସ୍ଥା ବେଆଇନ କାରବାରକୁ ପ୍ରେତ୍ସାହନ ଦେଉଛି । ଖଣ୍ଡପଡ଼ାର ସୁବ୍ରତ ସାହୁ କୁହନ୍ତି, କିଛି ମାସ ତଳେ ଜିଲାପାଳଙ୍କ ଅଚାନକ ଚଢ଼ାଉ ନିଲାମଧାରୀ ଓ ବେଆଇନ ଖଣି ବ୍ୟବସାୟୀଙ୍କୁ ଭୟଭୀତ କରିଥିଲା। ଏପରି କି କେତେଜଣ ତହସିଲଦାରଙ୍କ ବଦଳି ହୋଇଥିଲା। ଏହାପରେ ଜିଲାପାଳଙ୍କ ଅଚାନକ ଚଢ଼ାଉ ବନ୍ଦ ହୋଇ ଯାଇଥିବାରୁ ନିଲାମଧାରୀ ପୁଣି ତାଙ୍କର ପୁରୁଣା ବ୍ୟବସ୍ଥାରେ ଖଣିଜ ଚୋରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି । ଜିଲାପାଳଙ୍କ ଅଚାନକ ଚଢ଼ାଉ ହେଲେ ଏହାସବୁ କିଛି ମାତ୍ରରେ ପୂର୍ବପରି ହ୍ରାସ ପାଇବ ବୋଲି ସେ ପରାମର୍ଶ ଦେଇଛନ୍ତି। ନୟାଗଡ଼ର ରାଜ କିଶୋର ନାୟକ କୁହନ୍ତି, ପଥରଖଣି ନିଲାମ ହେଲା ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି । ସରକାର ରାଜସ୍ବ ପାଇଲେ ବୋଲି କ’ଣ ବେଆଇନ ଖଣି ଖନନକୁ ପ୍ରଶାସନ ଧରପଗଡ଼ କରିବନି । ବେଆଇନ ଖଣିଖନନ ଯୋଗୁ ସରକାର ରାଜସ୍ବ ହରାଉଛନ୍ତି । ଜିଲାପାଳ ଏ ଦିଗରେ ପୁଣି ଦୃଷ୍ଟି ଦେଇ ଅଚାନକ ଚଢ଼ାଉ କରିବାର ଆବଶ୍ୟକତା ଦେଖା ଦେଇଛି । ଏନେଇ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କୁହନ୍ତି, ବେଆଇନ ଖଣି ଖନନ ନେଇ ଅଭିଯୋଗ ମିଳିଲେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବ।