Categories: ଖେଳ

‘ମୁଁ ଏବେ ବ୍ୟାଟିଂର ମଜା ନେଉଛି’

ନାପିଅର,୨୩।୧୧: ନାପିଅରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ ଟାଇ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟୋଜକମାନେ ୧୯.୪ ଓଭରରେ ୧୬୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ବର୍ଷା ହେତୁ ୯ ଓଭର ପରେ ଖେଳ ବନ୍ଦ ହେବା ପର୍ଯ୍ୟନ୍ତ ଭାରତ ୪ ଉଇକେଟ ପାଇଁ ୭୫ ରନ ସଂଗ୍ରହ କରିଥିଲା। ଡକୱର୍ଥ-ଲୁଇସ ନିୟମ ଆଧାରରେ ଉଭୟ ଦଳର ସ୍କୋର ସମାନ ଥିଲା। ସେଥିପାଇଁ ଏହି ମ୍ୟାଚ ଟାଇ ହୋଇଥିଲା। ଫଳରେ ଟି-୨୦ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ହରାଇ ଦେଇଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ୍‌ ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା।
ସିରିଜରେ ସୂର୍ଯ୍ୟକୁମାର ୧୨୪ ରନ ସଂଗ୍ରହ କରିଥିଲେ। ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ସେ ୧୧୧ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତୃତୀୟ ମ୍ୟାଚରେ ୧୨ ରନ ସଂଗ୍ରହ କରିଥିବାବେଳେ ବର୍ଷା ହେତୁ ପ୍ରଥମ ମ୍ୟାଚ ଖେଳାଯାଇ ନ ଥିଲା। ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର ନେବା ପରେ ସେ କହିଛନ୍ତି, ମୋ ଉପରେ କୌଣସି ବୋଝ ନାହିଁ। ତେଣୁ ମୁଁ ମୋ ବ୍ୟାଟିଂର ମଜା ନେଉଛି। ବିନା ଚାପରେ ଖେଳିବା ମୁଁ ସର୍ବଦା ଚେଷ୍ଟା କରେ। ଆଗକୁ ମଧ୍ୟ ତାହା ଜାରି ରଖିବି ବୋଲି ସେ କହିଛନ୍ତି।

Share