ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ, କାହିଁକି ଏମିତି କହିଲେ ଧୋନୀ

ମୁମ୍ବାଇ,୯।୫: କ୍ରିକେଟ ଖେଳ ମଧ୍ୟ ବେଳେବେଳେ ଗଣିତର ଏକ କଠିନ ପ୍ରଶ୍ନ ପରି ହୋଇଯାଏ। ଏଠାରେ ଏକ ବିଜୟ ଏବଂ ପରାଜୟ ପରେ, ଅନେକ ସମୀକରଣ ତିଆରି ହୁଏ। ବେଳେବେଳେ ଏହାକୁ ବୁଝିବା କଷ୍ଟକର ହୋଇଯାଏ। ଆଇପିଏଲ୍‌ ୨୦୨୨ରେ ପ୍ଲେ’ ଅଫ୍‌ରେ ସମୀକରଣ ସେମିତି କିଛି ଚାଲିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍‌ରେ ପହଞ୍ଚିବା ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି। କିନ୍ତୁ ଗଣିତ ଆଧାରରେ ସିଏସକେ ପ୍ଲେ’ ଅଫ୍‌ରେ ପହଞ୍ଚିବାର କିଛିଟା ଆଶା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନ ବ୍ୟବଧାନରେ ପରାସ୍ତ କରେ ଧୋନୀଙ୍କୁ ଦଳର ପ୍ଲେ ଅଫ ଆଶା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତରରେ ସେ ତାଙ୍କ ସ୍କୁଲ ଦିନ କଥା ମନେ ପକାଇଥିଲେ।
ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବିଜୟ ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଚରାଯାଇଥିଲା ଯେ ସିଏସକେ ପାଇଁ ୩ଟି ମ୍ୟାଚ ବାକି ଅଛି ଏବଂ ଯଦି ଦଳ ସମସ୍ତ ମ୍ୟାଚ ଜିତେ ତେବେ କିଛି ବି ହୋଇପାରେ? ଏହାର ଜବାବରେ ଧୋନୀ କହିଛନ୍ତି, ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ। ସ୍କୁଲରେ ମଧ୍ୟ ମୁଁ ଏହି ବିଷୟରେ ବହୁତ ଭଲ ନ ଥିଲି। ଆମେ ନିଜ ଭାଗ୍ୟ ନିଜେ ଲେଖିଥାଉ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତୁମେ ସର୍ବଦା ନିଜର ସର୍ବଶ୍ରେଷ୍ଠ ଦେବା ଉଚିତ୍‌। ଅନ୍ୟ ଦଳକୁ ପରାସ୍ତ କରିବା ଆବଶ୍ୟକ ବୋଲି ଭାବିବାରେ କୌଣସି ଅର୍ଥ ନାହିଁ। ଏହା କେବଳ ଅତିରିକ୍ତ ଚାପ ପକାଇଥାଏ। କେବଳ ମ୍ୟାଚ ବିଷୟରେ ଚିନ୍ତା କରି ପ୍ରସ୍ତୁତ ହେବା ଆବଶ୍ୟକ। ଆଇପିଏଲ୍‌ ଉପଭୋଗ କରନ୍ତୁ, ଏହା ଏକ ଭଲ ଟୁର୍ନାମେଣ୍ଟ।
ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳିଛି। ଏଥିରେ ସେ ୪ଟି ଜିତିଛି ଏବଂ ୭ରେ ହାରିଛି। ଚେନ୍ନାଇର ଦଳର ଆଉ ତିନୋଟି ମ୍ୟାଚ ବାକି ଅଛି ଏବଂ ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ସେମାନଙ୍କୁ ଯେକୌଣସି ଭାବରେ ତିନୋଟି ମ୍ୟାଚ ଜିତିବାକୁ ପଡିବ । ଏହି ୩ଟି ମ୍ୟାଚ୍‌ ଜିତିଲେ ସିଏସକେ ୧୪ ପଏଣ୍ଟ ପାଇବ। କିନ୍ତୁ ତାହା କେବଳ ପ୍ଲେ ଅଫ ପହଞ୍ଚିବାକୁ ଯଥେଷ୍ଟ ନୁହେଁ।

Share