ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍‌ଆଇଆର ଦାଖଲ କରିଛି। ଏହି ଦମ୍ପତି ମାସ୍କ ନ ପିନ୍ଧି କାର୍‌ ଚଲାଇ ଯାଉଥିଲେ। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ପୋଲିସ ସେମାନଙ୍କୁ ଅଟକାଇବାରୁ ଏମାନେ ଦୁର୍ବ୍ୟବହାର କରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଆଭା ପୋଲିସକୁ କହୁଛନ୍ତି, ମୁଁ କେବେ ବି ମାସ୍କ ପିନ୍ଧିବିନି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋର କ’ଣ କରିବେ। ଏପରିକି ଆଭା କାର୍‌ରୁ ବାହାରି ଆସି ପୋଲିସ କର୍ମଚାରୀଙ୍କୁ କହିଥିଲେ, ମୁଁ ଏବେ ବିନା ମାସ୍କରେ ମୋ ସ୍ବାମୀଙ୍କୁ ଚୁମ୍ବନ ଦେବି। କରୋନା ବୋଲି କିଛି ନାହିଁ। ତୁମେ ଫାଲ୍‌ତୁରେ ଲୋକଙ୍କୁ ହଇରାଣ କରୁଛ। ପୋଲିସକୁ ଭିକାରି ବୋଲି କହୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ଏହି ଦମ୍ପତି ଦିଲ୍ଲୀ ପରି ବ୍ୟସ୍ତବହୁଳ ସହରରେ କାର୍‌ ଚଳାଇ ଯାଉଥିଲେ ମଧ୍ୟ ତାଙ୍କ ନିକଟରେ କୌଣସି ଜରୁରିକାଳୀନ ପାସ୍‌ କିମ୍ବା ଇ-ପାସ୍‌ ନ ଥିଲା। ଏପରି ବିନା ମାସ୍କରେ ଯାଉଥିଲେ। ପୋଲିସ ଅଟକାଇବାରୁ ଦମ୍ପତି ଦୀର୍ଘ ସମୟ ଧରି ମଝି ରାସ୍ତାରେ ଯୁକ୍ତିତର୍କ କରିଥିଲେ। ଶେଷରେ ପୋଲିସ ସେମାନଙ୍କୁ ଥାନାକୁ ନେବା ସହ ତାଙ୍କ ନାମରେ ମାମଲା ରୁଜୁ କରିଛି।

Share