ଦେଶଦ୍ରୋହ ମାମଲା ପାଇଁ ମୋଦିଙ୍କୁ ଆଇଏମ୍‌ଏର ଚିଠି

ନୂଆଦିଲ୍ଲୀ, ୨୭।୫: କୋଭିଡ୍‌ ଟିକାକରଣ ବିରୋଧରେ ବାବା ରାମଦେବ ଚଳାଇଥିବା ଅପପ୍ରଚାର ରୋକିବା ଲାଗି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛି। ଏଥିସହିତ ଦେଶଦ୍ରୋହ ଆଇନ ଅନୁଯାୟୀ ଯୋଗଗୁରୁଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ମୋଦିଙ୍କୁ ଆଇଏମ୍‌ଏ ନିବେଦନ କରିଛି। କୋଭିଡ୍‌ ଟିକାର ଉଭୟ ଡୋଜ୍‌ ନେବା ସତ୍ତ୍ୱେ ୧୦,୦୦୦ ଡାକ୍ତରଙ୍କ ମୃତ୍ୟୁ ହେଲାଣି। ଏଲୋପାଥି ଔଷଧ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ରାମଦେବ ଏକ ଭିଡିଓ ବାର୍ତ୍ତାରେ ଅଭିଯୋଗ କରିଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କରୋନା ମହାମାରୀରୁ ସୁରକ୍ଷା ଲାଗି ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାଦାନ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଆଇଏମ୍‌ଏ ସକ୍ରିୟତାର ସହ ଆଗେଇ ନେଉଛି। ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ ଆଇଏମ୍‌ଏ ଅଧିକାରୀମାନେ ଟିକା ନେଇ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିଥିଲେ। ଆଧୁନିକ ମେଡିସିନ ପେସାଦାରମାନେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମ୍‌ଆର୍‌ କିମ୍ବା ଚିକିତ୍ସା ପାଇଁ ଜାତୀୟ ଟାସ୍କଫୋର୍ସର ଗାଇଡ୍‌ଲାଇନ ଓ ପ୍ରୋଟୋକଲକୁ ପାଳନ କରିଥାନ୍ତି। ଏଲୋପାଥି ଔଷଧ ଲୋକଙ୍କୁ ମାରିଦେଉଛି ବୋଲି ଯଦି ଜଣେ ଦାବି କରେ ଏହା ମନ୍ତ୍ରଣାଳୟକୁ ଚ୍ୟାଲେଞ୍ଜ ପାଇଁ ଉଦ୍ୟମ। କରୋନା ମହାମାରୀ ସମୟରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟକରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି। ଇତିମଧ୍ୟରେ ପ୍ରଥମ ଲହରରେ ୭୫୩ ଏବଂ ଦ୍ୱିତୀୟ ଲହରରେ ୫୧୩ ଜଣ ଡାକ୍ତରଙ୍କ ଜୀବନ ଗଲାଣି। ପ୍ରଥମ ଲହର ବେଳେ ପ୍ରାଣ ହରାଇଥିବା କୌଣସି ଡାକ୍ତର ଟିକା ନେଇ ନ ଥିଲେ। ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ଅଧିକାଂଶ ଡାକ୍ତର ବିଭିନ୍ନ କାରଣରୁ ଟିକା ନେଇ ନ ଥିଲେ ବୋଲି ଆଇଏମ୍‌ଏ କହିଛି। ଦୁଇ ଡୋଜ୍‌ ଟିକା ନେବା ପରେ ୧୦ ହଜାର ଡାକ୍ତର ମରିଛନ୍ତି ବୋଲି ଅଭିଯୋଗ କରିବା ଟିକାକରଣ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ଏକ ସୁଚିନ୍ତିତ ଉଦ୍ୟମ। ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

Share