Categories: ଜାତୀୟ

ଇମାମଙ୍କୁ ହତ୍ୟା, ମସ୍‌ଜିଦରେ ନିଆଁ

ଗୁରୁଗ୍ରାମ/ଚଣ୍ଡିଗଡ଼,୨ା୮: ହରିୟାଣାର ନୁହରେ ସୋମବାର ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରାବେଳେ ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ସଂଘର୍ଷ ଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଲୋକେ ଗୁରୁଗ୍ରାମର ସେକ୍ଟର ୫୭ରେ ଥିବା ଅଞ୍ଜୁମନ ଜାମା ମସ୍‌ଜିଦରେ ନିଆଁ ଲଗାଇଦେଇଛନ୍ତି। ସେମାନଙ୍କ ଗୁଳିମାଡ଼ରେ ମସ୍‌ଜିଦ୍‌ର ଇମାମଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ପୂର୍ବରୁ ଦଙ୍ଗାକାରୀଙ୍କ ଗୁଳିରେ ୨ ଜଣ ହୋମଗାର୍ଡଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ମୃତ ହୋମଗାର୍ଡ ହେଲେ ନୀରଜ ଏବଂ ଗୁରସେବକ। ସେମାନେ ଖେଡ଼ାଲିଦୌଲା ଥାନାରେ ନିଯୁକ୍ତ ହୋଇଥିଲେ। ହିଂସାକାଣ୍ଡରେ ଆହତ ୭୦ ଜଣଙ୍କ ମଧ୍ୟରେ ୧୦ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ମଙ୍ଗଳବାର ନୁହରେ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ମାମଲାରେ ପୋଲିସ ୪୪ଟି ଏତଲା ଦାଏର କରିବା ସହ ୭୦ ଜଣଙ୍କୁ ଗିରଫ କରିଛି। ହିଂସାକାଣ୍ଡ ବେଳେ ଉତ୍ତ୍ୟକ୍ତ ଲୋକେ ୧୨୦ ଗାଡ଼ି ଭାଙ୍ଗିଛନ୍ତି। ସେଥିରୁ ପୋଲିସ ଗାଡ଼ି ସମେତ ୫୦ ଗାଡ଼ିକୁ ଜାଳିଦିଆଯାଇଛି। ନୁହଠାରୁ ୪୦ କିଲୋମିଟର ଦୂର ବାଦଶାହପୁରରେ ହିଂସାକାଣ୍ଡ ପହଞ୍ଚତ୍ଛି। ସେଠାରେ ଉତ୍ତ୍ୟକ୍ତ ଲୋକେ ଧର୍ମୀୟ ସ୍ଲୋଗାନ ଦେଇ ରେଷ୍ଟୁରାଣ୍ଟ ଓ ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ଅନେକ ଦୋକାନ ଓ ଝୁମ୍ପୁଡ଼ି ଘର ଜଳିଯାଇଛି। ଦଙ୍ଗାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର କହିଛନ୍ତି।
ନୁହ ଏବଂ ସୋହନାରେ ଉତ୍ତେଜନା ଲାଗିରହିଥିଲେ ମଧ୍ୟ ମଙ୍ଗଳବାର କୌଣସି ହିଂସାକାଣ୍ଡ ଘଟିନାହିଁ। ହିଂସାଗ୍ରସ୍ତ ଅଞ୍ଚଳରେ ୧୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ୩୦ କମ୍ପାନୀ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ହିଂସାକାଣ୍ଡକୁ ମୁଖ୍ୟମନ୍ତ୍ରୀ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପ୍ରତିବର୍ଷ ଭଳି ଏଥର କରାଯାଉଥିବା ଶାନ୍ତିପୂର୍ଣ୍ଣ ସାମାଜିକ ଯାତ୍ରା ଉପରେ କେତେକ ଲୋକ ଆକ୍ରମଣ କରିଥିଲେ। ସେମାନେ ପୋଲିସକୁ ମଧ୍ୟ ଟାର୍ଗେଟ କରିଥିଲେ। ଶାନ୍ତି ଓ ଆଇନ ଶୃଙ୍ଖଳା ଭଣ୍ଡୁର କରିବା ଲାଗି ଏହା ନିଶ୍ଚିତ ଭାବେ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ଖଟ୍ଟାର କହିଛନ୍ତି। ନୁହ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ୍‌ କହିଛନ୍ତି। ଏହି ଜିଲାରେ ଦୁଇ ସମ୍ପ୍ରଦାୟ ଦୀର୍ଘବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିଆସୁଥିଲେ। ହିଂସାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି। ଶାନ୍ତି ଫେରାଇ ଆଣିବା ଲାଗି ପୋଲିସ ଓ ପ୍ରଶାସନ ପକ୍ଷରୁ ଉଭୟ ସମ୍ପ୍ରଦାୟର ନେତାମାନଙ୍କ ସହ ଆଲୋଚନା ଚାଲିଛି। ସୋହନା, ପଟୌଦି, ମାନେସାର ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Share