ନୂଆଦିଲ୍ଲୀ,୫।୪: ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ମ୍ୟାଚରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବେ ଓଭାଲରେ ଅନୁଷ୍ଠିତ ଏହି ମ୍ୟାଚ ସମୟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଇମାମ ଉଲ ହକ୍ ଗୁରୁତର ଆହତ ହୋଇଛନ୍ତି। ସେ ରନ୍ ପାଇଁ ଦୌଡିବା ସମୟରେ ନ୍ୟୁଜିଲାଣ୍ଡ ଖେଳାଳି ଏକ ଥ୍ରୋ କରିଥିଲେ, ଯାହା ସିଧାସଳଖ ତାଙ୍କ ହେଲମେଟରେ ବାଜିଥିଲା ଏବଂ ବଲଟି ହେଲମେଟ ଭିତରେ ପଶି ଯାଇଥିଲା। ଏହା ତାଙ୍କ ମୁହଁରେ ଗଭୀର ଆଘାତ ସୃଷ୍ଟି କରିଛି। ବଲ ତାଙ୍କ ଦେହରେ ବାଜିବା ମାତ୍ରେ ସେ ତୁରନ୍ତ ତଳେ ପଡ଼ିଯାଇଥିଲେ। ସେ ଏତେ ଯନ୍ତ୍ରଣା ଅନୁଭବ କରୁଥିଲେ ଯେ ତାଙ୍କୁ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନେବାକୁ ପଡିଥିଲା।
ପାକିସ୍ତାନ ଇନିଂସର ତୃତୀୟ ଓଭରରେ ଇମାମ ଉଲ ହକଙ୍କ ସହିତ ଏହି ଘଟଣା ଘଟିଥିଲା। ସେ ୱିଲିୟମ ଔରୁର୍କେଙ୍କ ବଲରେ ଅଫ ସାଇଡ୍ ଖେଳି ଏକ ସିଙ୍ଗଲ ନେବାକୁ ଚେଷ୍ଟା କରିଥିଲେ। ତା’ପରେ ଫିଲ୍ଡର ଇମାମଙ୍କ ଆଡ଼କୁ ବଲ୍ ଫୋପାଡ଼ି ଥିଲେ ଏବଂ ବଲ ତାଙ୍କ ହେଲମେଟରେ ଫସିଯାଇଥିଲା। ଏହା ପରେ ସେ ତଳେ ପଡ଼ିଯାଇଥିଲେ। ସେ ତୁରନ୍ତ ବଲଟିକୁ ବାହାର କରି ତାଙ୍କ ପାଟି ଧରି ମଇଦାନରେ ଶୋଇପଡ଼ିଥିଲେ। ଏମିତି ଲାଗୁଛି ଯେପରି ବଲ ତାଙ୍କ ପାଟିରେ ବାଜିଛି। ତାଙ୍କ ଅବସ୍ଥା ଦେଖି ଫିଜିଓ ପଡ଼ିଆକୁ ଦୌଡ଼ି ଆସିଲେ। ଇମାମଙ୍କ ଅବସ୍ଥା ପରୀକ୍ଷା କରିବା ପରେ ଡାକ୍ତରୀ ଦଳ ତାଙ୍କୁ ଏକ ବଗି ଆମ୍ବୁଲାନ୍ସରେ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି କାରଣରୁ ଖେଳ କିଛି ସମୟ ପାଇଁ ବନ୍ଦ ରହିଥିଲା।
ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍କୁ ୪୨ ଓଭରକୁ ହ୍ରାସ କରାଯାଇଥିଲା। ଏହି ସମୟରେ ପାକିସ୍ତାନୀ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଛି। ପାକିସ୍ତାନ ଦଳ ପକ୍ଷରୁ ବ୍ୟାଟିଂ ଜାରି ରହିଛି।