ଆଗାମୀ ତିନିଦିନ ଏହି ସମସ୍ତ ଜିଲାରେ ଘନ କୁହୁଡ଼ି ସମ୍ଭାବନା: ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୧୧: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ଦେଖାଯାଇଥିବା ସର୍ବନିମ୍ନ କିମ୍ବା ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ବୋଲି ସୋମବାର ଭାରତ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବାର ନ ଥିବା ବେଳେ ଆଗାମୀ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଆଗାମୀ ୩ ଦିନ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି।

ଆଇଏମଡି ଅନୁଯାୟୀ, ନଭେମ୍ବର ୨୦ ଏବଂ ୨୧ ରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଉପରେ ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି, ନଭେମ୍ବର ୧୮ ଏବଂ ୧୯ ରେ ତାମିଲନାଡୁ ଏବଂ ପୁଡୁଚେରୀ ଉପରେ ବିଚ୍ଛିନ୍ନ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ନଭେମ୍ବର ୨୦ ଏବଂ ୨୧ ରେ ଆସାମ ଏବଂ ମେଘାଳୟର କିଛି ଅଂଚଳରେ କୁଆପଥର ହେବାର ପୂର୍ବାନୁମାନ କରିଛି।

ତେବେ ନଭେମ୍ବର ୨୩ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼ର ପୃଥକ ପକେଟରେ ରାତି / ସକାଳ ସମୟ ମଧ୍ୟରେ ଘନ କୁହୁଡ଼ି ଅଧିକ ହେବାର ସମ୍ଭାବନା ରହିଛି। ସେହିଭଳି ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କିଛି ଅଂଚଳରେ ନଭେମ୍ବର ୨୦ ପର୍ଯ୍ୟନ୍ତ ଏବଂ ଉତ୍ତରାଖଣ୍ଡ ୨୦ ରୁ ୨୩ ନଭେମ୍ବର ମଧ୍ୟରେ ଘନ କୁହୁଡ଼ି ପରିସ୍ଥିତି ମଧ୍ୟ ସମ୍ଭାବନା ରହିଛି।

Share