Categories: ଜାତୀୟ

ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋମବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତଲହରୀ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ ରେକର୍ଡ କରାଯାଇପାରେ। ଏହାପରେ ଜାନୁଆରୀ ୧୮ରୁ ତାପମାନ ବୃଦ୍ଧି ପାଇବ। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଭରାତୀୟ ପାଣିପାଗ ବିଭାଗ ଦିଲ୍ଲୀ ସମେତ, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣାରେ ଆଗାମୀ ୩ଦିନ ପାଇଁ ୟେଲୋ ଆଲର୍ଟ କରାଯାଇଛି। ସୂଚନା ମୁତାବକ, ଜାନୁଆରୀ ୧୬, ୧୭ ଓ ୧୮ଯାଏ ଶୀତଲହରୀ ପ୍ରକୋପ ଜାରି ରହିବା ସହ ଜାନୁଆରୀ ୧୯,୨୦, ୨୧ରେ ଘନ କୁହୁଡ଼ି ଦେଖାଯିବ। ଏହି ସମୟରେ ଦିଲ୍ଲୀ-ଏନ୍‌ସିଆରର ମୁଖ୍ୟ ଷ୍ଟେସନରେ ତାପମାତ୍ରା ୩ଡିଗ୍ରୀ ସେଲ୍‌ସିୟସ ଏବଂ ସର୍ବାଧିକ ତାପମାତ୍ରା ୨୧ରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Share