Categories: ଜାତୀୟ

‘ଡାଲଖାଇ’ ଗୀତର ତାଳେ ତାଳେ ନାଚିଲେ ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟାଲିନା

ନୂଆଦିଲ୍ଲୀ,୮।୯: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଅତିଥିମାନଙ୍କ ଆଗମନ ପ୍ରକ୍ରିୟା ଜାରି ରହିଛି। ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହି କ୍ରମରେ ଗୁରୁବାର ଆଇଏମ୍‌ଏଫ୍‌ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) କ୍ରିଷ୍ଟାଲିନା ଜର୍ଜିଭା ଜି -୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ଭାରତୀୟ ପାରମ୍ପରିକ ଲୋକ ନୃତ୍ୟ ସହ ଭବ୍ୟ ସ୍ବାଗତ କରାଯାଇଥିଲା। ତେବେ ଏହି ସମୟରେ କ୍ରିଷ୍ଟାଲିନା ଯାହା କରିଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଭାରତର ବିଭିନ୍ନ ଅଞ୍ଚଳର ଲୋକ ନୃତ୍ୟ ଉପସ୍ଥାପନ କରାଯାଉଥିଲା। କ୍ରିଷ୍ଟାଲିନା ପହଞ୍ଚିବା ସମୟରେ ଏକ ନୃତ୍ୟଶିଳ୍ପୀ ଦଳ ‘ଡାଲଖାଇ’ (ଓଡିଶାର ଆଦିବାସୀମାନଙ୍କର ଏକ ଲୋକପ୍ରିୟ ଲୋକ ନୃତ୍ୟ) ଉପସ୍ଥାପନ କରୁଥିଲେ। ଏହାକୁ ଦେଖି କ୍ରିଷ୍ଟାଲିନା ବହୁତ ଖୁସି ହୋଇ ଯାଇଥିଲେ । ଏପରିକି ସେ ମଧ୍ୟ ଗୀତର ତାଳେ ତାଳେ ନିଜର ପାଦ ମିଳାଇଥିଲେ। ସେ ନିଜକୁ ଓ ଲୋକଗୀତର ତାଳେ ତାଳେ ନାଚିବାକୁ ଅଟକାଇ ପାରି ନ ଥିଲେ। ଏବେ ତାଙ୍କର ନାଚିବା ସମୟର ଭିଡିଓ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ଏଥର ଭାରତ ଜି -୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି। ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share