ଭାରତର ବିକାଶ ହାର ହ୍ରାସ କଲା ଆଇଏମଏଫ୍‌…

ନୂଆଦିଲ୍ଲୀ,୧୧।୧୦ : ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୂର୍ବାନୁମାନକୁ ୬.୮ପ୍ରତିଶତକୁ ହ୍ରାସ କରିଛି। ଏହା ସହିତ ଆଇଏମଏଫ ବିଶ୍ୱସ୍ତରୀୟ ଏଜେନ୍ସିରେ ମଧ୍ୟ ଯୋଗ ଦେଇଛି ଯେଉଁମାନେ ଭାରତର ଜିଡିପି ହାରର ପୂର୍ବାନୁମାନକୁ ହ୍ରାସ କରିଛନ୍ତି।

ଜୁଲାଇରେ ଆଇଏମଏଫ ୨୦୨୨ ମସିହା ଆର୍ଥିକ ବର୍ଷ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୪ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ଆକଳନ କରିଥିଲା। ଏହି ପୂର୍ବାନୁମାନ ଚଳିତ ବର୍ଷ ଜାନୁଆରୀରେ ୬.୨ ପ୍ରତିଶତ ଆକଳନ ଠାରୁ ମଧ୍ୟ କମ ଥିଲା।

୨୦୨୧-୨୨ ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ୮.୭ପ୍ରତିଶତ ଥିଲା ।

ମଙ୍ଗଳବାର ପ୍ରକାଶିତ ବାର୍ଷିକ ବିଶ୍ୱଅର୍ଥନୈ ତିକ ଆଉଟଲୁକ ରିପୋର୍ଟରେ ଆଇଏମଏଫ କହିଛି ଯେ ୨୦୨୨ ମସିହାରେ ଭାରତର ଜିଡିପି ଅଭିବୃଦ୍ଧିର ସଂଶୋଧିତ ଆକଳନ ହେଉଛି ୬.୮ ପ୍ରତିଶତ। ସେହିପରି, ଜୁଲାଇ ମାସ ପାଇଁ ପୂର୍ବାନୁମାନ ୦.୬ ପ୍ରତିଶତ ପଏଣ୍ଟ ହ୍ରାସ କରାଯାଇଛି। ଦ୍ୱିତୀୟ ତ୍ରୟ ମାସରେ କମ୍ପାନୀଗୁଡିକର ଅପେକ୍ଷାକୃତ ଦୁର୍ବଳ ଫଳାଫଳ ଏବଂ ଦୁର୍ବଳ ବାହ୍ୟ ଚାହିଦା ହେତୁ ଆଇଏମଏଫ ଦ୍ୱାରା ଏହି ହ୍ରାସ କରାଯାଇଛି।

ଆଇଏମଏଫ ଦ୍ୱାରା ବିଶ୍ୱର ଅଭିବୃଦ୍ଧି ୨୦୨୧ ରେ ୬.୦ ପ୍ରତିଶତ, ୨୦୨୨ ରେ ୩.୨ ପ୍ରତିଶତ ଏବଂ ୨୦୨୩ରେ ୨.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱଆର୍ଥିକ ସଙ୍କଟ ଏବଂ କରୋନା ମହାମାରୀର ପର୍ଯ୍ୟାୟକୁ ବାଦ ଦେଇ୨୦୦୧ ଠାରୁ ଏହାକୁ ଦୁର୍ବଳ ଅଭିବୃଦ୍ଧିର ପୂର୍ବାନୁମାନ ବୋଲି କୁହାଯାଉଛି।

ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ପ୍ରକାଶ କରି ଆଇଏମଏଫ କହିଛି ଯେ ଏହି ଆକଳନଗୁଡିକ ବୃହତ ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଥରତାକୁ ଦର୍ଶାଉଛି। ୨୦୨୨ ର ପ୍ରଥମାର୍ଦ୍ଧରେ ଆମେରିକାର ଜିଡିପି ହ୍ରାସ ପାଇଥିଲା। ଏଥି ସହିତ ଦ୍ୱିତୀୟାର୍ଦ୍ଧରେ ୟୁରୋପୀୟ ୟୁନିଅନ ମଧ୍ୟ ପଛୁଆ ରହିଥିଲା। ଚାଇନାରେ ମଧ୍ୟ କରୋନା ଯୋଗୁ ଦୀର୍ଘ ଦିନ ଧରି ଲକଡାଉନ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଥିବା ଆଇଏମଏଫ କହିଛି।

Share