ଆଇଏମଏଫର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୬.୧ ପ୍ରତିଶତ

ଓ୍ବାଶିଂଟନ୍‌,୩୧।୧: ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି। ଆଇଏମଏଫ ଅନୁଯାୟୀ,୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ ତୁଳନାରେ କମ ହେବାର ସମ୍ଭାବନା ରହିଛି। ୨୦୨୩ରେ ବିଶ୍ୱ ଅର୍ଥନୀତି ୨.୯ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୨ରେ ଏହାର ଆକଳନ ୩.୪ ପ୍ରତିଶତ ଥିଲା। ୨୦୨୪ରେ ବିଶ୍ୱ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ୩.୧ ପ୍ରତିଶତ ହାରରେ ବୃଦ୍ଧି ପାଇପାରେ। ଅନ୍ୟପକ୍ଷରେ, ଭାରତର ଅର୍ଥନୀତି ବିଷୟରେ ଆଇଏମଏଫ କହିଛି ଯେ, ଭାରତର ଅର୍ଥନୀତି ଏହି ତ୍ରୈମାସରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଚଳିତ ତ୍ରୈମାସରେ ଭାରତର ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହା ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୬.୧ ପ୍ରତିଶତ ହେବାର ସମ୍ଭାବନା ରହିଛି।
ଭାରତୀୟ ଅର୍ଥନୀତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ମୁଖ୍ୟ ଅର୍ଥନୀତିଜ୍ଞ ପିଆର-ଅଲିଭିଆର୍‌ ଗୋରିଞ୍ଚସ କହିଛନ୍ତି, ଅକ୍ଟୋବର-ଡିସେମ୍ବର ଶେଷ ତ୍ରୈମାସରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୩-୨୪ ପରବର୍ତ୍ତୀ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେରେ ଭାରତର ଜିଡିପିରେ ହ୍ରାସ ଘଟିବ ଏବଂ ଏହା ୬.୧ ପ୍ରତିଶତ ହାରରେ ବୃଦ୍ଧି ପାଇବ। ଏହି ହ୍ରାସ ପରେ ମଧ୍ୟ ଭାରତୀୟ ଅର୍ଥନୀତି ବିଶ୍ୱ ଅର୍ଥନୀତି ପାଇଁ ଏକ ‘ବ୍ରାଇଟ୍‌ ସ୍ପଟ୍‌’ ଭାବରେ କାର୍ଯ୍ୟ କରିବ। ୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପୁଣି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇବ।
ଆଇଏମଏଫ ରିପୋର୍ଟ ଅନୁଯାୟୀ, ୨୦୨୩ ଏବଂ ୨୦୨୪ରେ ଏସିଆରେ ଯଥାକ୍ରମେ ୫.୩ ପ୍ରତିଶତ ଏବଂ ୫.୪ ପ୍ରତିଶତ ଅଭିବୃଦ୍ଧି ହୋଇପାରିବ। ଏସିଆର ଅଭିବୃଦ୍ଧି ଚାଇନାର ଅଭିବୃଦ୍ଧି ଉପରେ ନିର୍ଭର କରିବ। ଗତ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜିଡିପି ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିଠାରୁ କମ ରେକର୍ଡ ହୋଇଛି।

Share