ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସତର୍କ କରିଛି। ଏହାସହ ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆଇଏମ୍‌ଏଫ୍‌ ପୁଣିଥରେ ମଙ୍ଗଳବାର ପୂର୍ବାନୁମାନ କରିଛି। ଗତ ଏପ୍ରିଲରେ ଏହି ସଂସ୍ଥା ବୈଷିକ ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୨୦୨୨ରେ ୩.୬% ରହିବ ବୋଲି ଭବିଷ୍ୟବାଣୀ କରିଥିଲା। କିନ୍ତୁ ତାହା ୩.୨% ହ୍ରାସ ପାଇବ ବୋଲି ଏବେ ଆଇଏମ୍‌ଏଫ୍‌ କହିଛି। ସେହିପରି କଠୋର ଆର୍ଥିକ ନୀତି ଯୋଗୁ ୨୦୨୩ରେ ୨.୯% ଖସିଯିବ ବୋଲି କୁହାଯାଇଛି। କରୋନା ମହାମାରୀ ଯୋଗୁ ବିଶ୍ୱ ଆର୍ଥିକ ଅଭିବୃଦ୍ଧି ୩.୧%କୁ ଖସିଯାଇଥିଲା। କିନ୍ତୁ ୨୦୨୧ରେ ତାହା ୬.୧% ବୃଦ୍ଧି ପାଇ ଆଶ୍ୱସ୍ତି ଆଣିଥିଲା। କିନ୍ତୁ ଗତ ଏପ୍ରିଲଠାରୁ ଅନିୟନ୍ତ୍ରଣିତ ମୁଦ୍ରାସ୍ଫୀତି ଏବଂ ଯୁଦ୍ଧ ପରିସ୍ଥିତି ଆର୍ଥିକ ଅଭିବୃଦ୍ଧିକୁ ନିମ୍ନଗାମୀ କରିଦେଇଛି।

Share