Categories: ଜାତୀୟ

ପ୍ରବାସୀ ଭାରତୀୟ ଦିବସ: ବିଶ୍ୱର ୧୧୦ ଦେଶରେ ପ୍ରବାସୀ ଭାରତୀୟ

ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସରେ ଥିବା ସମୟରେ ପ୍ରଥମ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅହିଂସା ଆନ୍ଦୋଳନ ସତ୍ୟାଗ୍ରହ ମାଧ୍ୟମରେ ଭାରତରେ ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶେଷରେ ଇଂରେଜମାନେ ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ସତ୍ୟାଗ୍ରହର ମୂଳଦୁଆ ପ୍ରବାସରେ ହିଁ ପଡ଼ିଥିଲା।

ତେଣୁ ପ୍ରବାସରେ ଭାରତୀୟଙ୍କ ଅବଦାନକୁ ସ୍ମରଣକରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୯ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥାଏ। ଭାରତ ବାହାରେ ବାସକରୁଥିବା ଭାରତୀୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ବହୁ ସମୟରେ ଦେଶ ଗର୍ବିତ ହୋଇଥାଏ। ପ୍ରବାସରେ ପ୍ରବାସୀଙ୍କ ଦେଶପ୍ରେମର ବହୁ ଉଦାହରଣ ମଧ୍ୟ ରହିଛି।

ଜାନୁଆରୀ ୯ରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଦିନଟିକୁ ମନେରଖିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥାଏ। ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ନିଷ୍ପତ୍ତି ଏଲ୍‌.ଏମ୍‌. ସିଂଘଭିଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଭାରତୀୟ ଡାଏସ୍ପୋରା ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିସ ଅନୁଯାୟୀ ଗ୍ରହଣ କରାଯାଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୮ ଜାନୁଆରୀ ୨୦୦୨ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଜନସମାବେଶରେ କମିଟିର ରିପୋର୍ଟ ଗ୍ରହଣ କରିଥିଲେ ଏବଂ ୯ ଜାନୁଆରୀ ୨୦୦୨ରେ ‘ପ୍ରବାସୀ ଭାରତୀୟ ଦିବସ’ ପାଳନ କରିବାକୁ ଘୋଷଣା କରିଥିଲେ। ଏହା ପରେ ୨୦୦୩ ଠାରୁ ଏହା ପାଳିତ ହେଉଛି।

ଦିବସର ଲକ୍ଷ୍ୟ ହେଉଛି ଭାରତ ପ୍ରତି ପ୍ରବାସୀ ଭାରତୀୟଙ୍କ ଚିନ୍ତାଧାରା, ସେମାନଙ୍କର ଭାବନାକୁ ପ୍ରକାଶ କରିବା ସହିତ ସେମାନଙ୍କ ଦେଶବାସୀଙ୍କ ସହିତ ସକାରାତ୍ମକ କଥାବାର୍ତ୍ତା ପାଇଁ ଏକ ମଞ୍ଚ ଯୋଗାଇବା ।
ଭାଇମାନଙ୍କ ସଫଳତା ବିଷୟରେ ଭାରତର ଲୋକଙ୍କୁ ଅବଗତ କରାଇବା ଏବଂ ସେମାନଙ୍କଠାରୁ ଦେଶବାସୀଙ୍କ ଆଶା ବିଷୟରେ ପ୍ରବାସୀମାନଙ୍କୁ ଅବଗତ କରାଇବା।

ବିଶ୍ୱର ୧୧୦ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କର ଏକ ନେଟ୍‌ୱର୍କ ସୃଷ୍ଟି କରିବା। ଭାରତର ଅନ୍ୟ ଦେଶଗୁଡ଼ିକ ସହ ଥିବା ଆନ୍ତରିକ ସମ୍ପର୍କରେ ପ୍ରବାସୀମାନଙ୍କ ଭୂମିକା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା । ଭାରତର ଯୁବପିଢ଼ିକୁ ପ୍ରବାସୀ ଭାଇମାନଙ୍କ ସହ ସଂଯୋଗ କରାଇବା। ବିଦେଶରେ ଭାରତୀୟ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିବା ।

Share