ନୂଆଦିଲ୍ଲୀ,୧୫।୩: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ପ୍ରବାସୀ ଶ୍ରମିକଙ୍କୁ ରାଶନ ଯୋଗାଣ ଧାରାକୁ ତ୍ୱରାନ୍ବିତ କରିବା ଲାଗି ନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ କେନ୍ଦ୍ର ସରକାର ମେରା ରାଶନ ମୋବାଇଲ ଆପ୍ଲିକେଶନର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ବିଶେଷ କରି ପ୍ରବାସୀ ଶ୍ରମିକମାନେ ଲାଭବାନ ହୋଇପାରିବେ। ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନ୍ଆଇସି) ପକ୍ଷରୁ ଏହି ମୋବାଇଲ ଆଣ୍ଡ୍ରଏଡ ଆପ୍ଲିକେଶନକୁ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ଏହା ହିନ୍ଦୀ ଏବଂ ଇଂଲିଶରେ ଉପଲବ୍ଧ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ୧୪ଟି ଭାଷାରେ ଉପଲବ୍ଧ ହେବ।
ଉଲ୍ଲେଖଯୋଗ୍ୟ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (ଏନ୍ଏଫ୍ଏସ୍ଏ) ସରକାର ଉଚ୍ଚ ସବ୍ସିଡି ହାରରେ ୮୧ କୋଟି ଲୋକଙ୍କୁ କିଲୋପ୍ରତି ୧ରୁ ୩ ଟଙ୍କାରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଏମାନେ ସମସ୍ତେ ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିସରଭୁକ୍ତ। ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡ ବ୍ୟବସ୍ଥା ଅଧୀନରେ ୩୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ରାଶନ କାର୍ଡ ପୋର୍ଟାବିଲିଟି ସୁବିଧା କରାଯାଇଛି। ନୂଆ ବ୍ୟବସ୍ଥାର ଶୁଭାରମ୍ଭ ପରେ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ଉଚିତ ମୂଲ୍ୟରେ ସେବା ଯୋଗାଣ ଲକ୍ଷ୍ୟ ନେଇ ଏଭଳି ଏକ ସୁବିଧା ହାତକୁ ନିଆଯାଇଛି। ମୋବାଇଲ ଆପ୍ରେ ପ୍ରବାସୀମାନେ ସେମାନଙ୍କ ତଥ୍ୟ ଦେଇ ପଞ୍ଜୀକୃତ ହୋଇପାରିବେ। ପରେ ସିଷ୍ଟମ ଅନୁସାରେ ତାଙ୍କୁ ଖାଦ୍ୟଶସ୍ୟ ଯୋଗାଣ କରାଯିବ। ଆଧାର ଏବଂ ରାଶନ କାର୍ଡ ନମ୍ବର ଦେଇ ଏହାକୁ ଲଗ୍ଇନ କରାଯାଇପାରିବ। ସରକାର ପ୍ରତି ବ୍ୟକ୍ତିଙ୍କୁ ମାସିକ ୫ କିଲୋ ଖାଦ୍ୟଶସ୍ୟ ୫.୪ ଲକ୍ଷ ରାଶନ ଶପ୍ରେ ଯୋଗାଇ ଦେଉଛନ୍ତି।