ବ୍ରହ୍ମପୁର,୨୪।୧(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ମେଡିକାଲ କଲେଜ ଓ ହସପିଟାଲକୁ ଦକ୍ଷିଣ ଓଡ଼ିଶା ଓ ଅନ୍ୟ ସ୍ଥାନରୁ ରୋଗୀ ରେଫର୍ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମା ଅଞ୍ଚଳର ଲୋକ ବି ଏହି ମେଡିକାଲ ଉପରେ ନିର୍ଭରଶୀଳ। ବିଭିନ୍ନ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ରୋଗୀ ଏଠାକୁ ଆସୁଥିବା ବେଳେ ମୃତ୍ୟୁ ହେଲେ ଅପମୃତ୍ୟୁ ମାମଲା ରୁଜୁ ହେଉଛି। ଏପରି ମାମଲା ଦିନକୁ ଦିନ ବଢ଼ି ଚାଲିଛି। କେବଳ ୨୦୨୩ରେ ମୋଟ ୭୯୯ ଅପମୃତ୍ୟୁ ମାମଲା ହୋଇଥିବା ମେଡିକାଲ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ୪ବର୍ଷ ମଧରେ ଫାଣ୍ଡିରେ ୨୭୫୪ଟି ଅପମୃତ୍ୟୁ ମାମଲା ରୁଜୁ ହେଲାଣି।
ଏମ୍କେସିଜିରେ ବିଶେଷ କରି ବିଭିନ୍ନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କାଜୁଆଲ୍ଟି ବ୍ୟବସ୍ଥା ରହିଛି। ଦିନକୁ ଦିନ ଦୁର୍ଘଟଣା ଓ ଆତ୍ମହତ୍ୟା ଉଦ୍ୟମ ଘଟଣା ବଢ଼ିବାରେ ଲାଗିଛି। ସେହିପରି ସାପ କାମୁଡ଼ା ଓ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଲୋକେ ଆସୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହେଲେ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ କରାଯାଉଛି। ଡାକ୍ତରଖାନାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ବହୁ ଯୋଜନା କରିଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲେ ବି ଟ୍ରମା କେୟାର୍ ସେଣ୍ଟରରୁ ଉନ୍ନତମାନର ସେବା ମିଳୁନି। ଟ୍ରମା କେୟାର୍ ସେଣ୍ଟରକୁ ଅପଗ୍ରେଡେସନ କରିବା ସହିତ ଖାଲି ପଦବି ପୂରଣ କରିବା ପ୍ରସ୍ତାବ ରହିଛି। ନିଆଁରେ ପୋଡ଼ି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବର୍ନ କେୟାର୍ ୟୁନିଟ ସୁବିଧା ମଧ୍ୟ ନାହିଁ। ବର୍ନ କେୟାର୍ ୟୁନିଟ ନ ଥିବାରୁ ନିଆଁରେ ପୋଡ଼ି ଯାଇଥିବା ରୋଗୀ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ପ୍ରାୟତଃ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ବଡ ଡାକ୍ତରଖାନାରେ ଏସବୁ ସୁବିଧା ଉପଲବ୍ଧ ହେଲେ ଅପମୃତ୍ୟୁ ସଂଖ୍ୟା କିଛିମାତ୍ରାରେ ହ୍ରାସ ପାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
୪ ବର୍ଷର ଅପମୃତ୍ୟୁ ମାମଲା
ବର୍ଷ ସଂଖ୍ୟା
୨୦୨୦ ୬୧୨
୨୦୨୧ ୬୩୧
୨୦୨୨ ୭୧୨
୨୦୨୩ ୭୯୯