ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ପ୍ରଖର ରହିବା ଦରକାର। କାରଣ ଏହା ଆମକୁ କେତେକ ରୋଗ କବଳରୁ ଅନେକାଂଶରେ ରକ୍ଷା କରିଥାଏ। ତେବେ ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ପିଜୁଳି ଖାଆନ୍ତି, ତା’ହେଲେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ରହିଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। କାରଣ ପିଜୁଳି ହେଉଛି ଭିଟାମିନ୍ ‘ସି’ର ଏକ ଉତ୍ସ। ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିଥାଏ ବୋଲି ୟୁନିଭର୍ସିଟି ଅଫ୍ ସିଡ୍ନୀର ପୁଷ୍ଟିବିଜ୍ଞାନୀମାନେ ମତ ଦେଇଛନ୍ତି। ଏହାବ୍ୟତୀତ ପିଜୁଳି ଖାଇବା ଦ୍ୱାରା ମେଦବହୁଳତା ପରି ସମସ୍ୟାରୁ ଜଣେ ନିଜକୁ ଦୂରେଇ ରଖିପାରିବେ। ତା’ ସହ କ୍ୟାନ୍ସରକୁ ପ୍ରତିରୋଧ କରିବାର ଶକ୍ତି ପିଜୁଳି ନିକଟରେ ରହିଛି ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା କେତେକାଂଶରେ ଦୂର ହୋଇଥାଏ।