ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଦୃଢ଼ ରହିବା ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଏକ ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା ହେଲା ସୁନିଦ୍ରା। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୬-୭ ଘଣ୍ଟା ଭଲ ଭାବରେ ଶୁଅନ୍ତି ତେବେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ବୃଦ୍ଧି ପାଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ୟୁନିଭର୍ସିଟି ଅଫ୍ ବର୍ଲିନର ବିଶେଷଜ୍ଞମାନେ ଏ ନେଇ ଗବେଷଣା କରି ଏ କଥା ଜାଣିପାରିଛନ୍ତି। ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ଶୋଇବା ଦ୍ୱାରା ତାଙ୍କ ଶରୀର ଭିତରେ ବିଭିନ୍ନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି କେତେକାଂଶରେ ନିଜକୁ ସୁସ୍ଥ ରଖିଥାନ୍ତି। କେବଳ ସେତିକି ନୁହେଁ, ଏହାସହ ନିଜର ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।