ପାଟଣା,୨୬।୩(ସ୍ବ.ପ୍ର.): ସାରା ଦେଶରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଭାରତ ବନ୍ଦ ପ୍ରଭାବ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ବୈତରଣୀ ନଦୀ ପୋଲ ଉପରେ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ଶୁକ୍ରବାର ସକାଳ ୬ଟାରୁ ୩ କୃଷି ଆଇନ ପ୍ରତ୍ୟାହାର ଓ ସର୍ବତ୍ର ଏମଏସ୍ପି ଲାଗୁ ଦାବିରେ ପ୍ରତିବାଦ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି ଆନ୍ଦୋଳନ କାରୀମାନେ ପ୍ରତିବାଦ ସଭା କରିଛନ୍ତି। ଫଳରେ ଜାତୀୟ ରାଜପଥ ଓ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଛି। ଏହି ଆନ୍ଦୋଳନରେ ନବନର୍ମାଣ କୃଷକ ସଙ୍ଗଠନର ପାଟଣା ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ଉପଦେଷ୍ଟା ଗୌତମ ମହାନ୍ତ, ଜିଲା ସହସଂଯୋଜକ ଖଗେଶ୍ୱର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।