ଜିରୋ କୋଭିଡ୍‌ ନୀତିର ପ୍ରଭାବ, ମୃତ୍ୟୁ ସଂଖ୍ୟା ବେକାବୁ…

ବେଜିଂ, ୧୦।୪ : ଚାଇନାର ଶୂନ-କୋଭିଡ (ଜିରୋ କୋଭିଡ୍‌) ନୀତିର ପ୍ରଭାବରେ ସାଂଘାଇରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାରୁ ହସ୍ପିଟାଲରେ ବରିଷ୍ଠ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି।

୨୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ସହରରେ ଜିରୋ କୋଭିଡ୍‌ ନୀତିର ବିପଜ୍ଜନକ ପରିଣାମ ସ୍ପଷ୍ଟ ଦେଖିବାକୁ ମିଳୁଛି। ରୋଗୀଙ୍କ ସମ୍ପର୍କୀୟମାନେ ଆସୋସିଏଟେଡ ପ୍ରେସ୍‌କୁ କହିଛନ୍ତି ଯେ ସାଂଘାଇ ଡୋଙ୍ଗାଇ ଏଲଡର୍ଲି କେୟାର ହସ୍ପିଟାଲରେ ବହୁ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ନିଜ ଲୋକଙ୍କୁ ଠିକ ଭାବରେ ଯତ୍ନ ନେବାକୁ ଦିଆଯାଉ ନାହିଁ। ଚିକିତ୍ସା କେନ୍ଦ୍ରରେ କଡ଼ା ନିୟମ ପାଳନ କରାଯାଉଛି।

ହସ୍ପିଟାଲ ପକ୍ଷରୁ ଆକ୍ରାନ୍ତଙ୍କ ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଉ ନଥିବାବେଳେ ସେମାନଙ୍କ ପ୍ରିୟ ପରିଜନ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଦେଖିବାକୁ ଦାବି କରିଛନ୍ତି। କରୋନା ପଜିଟିଭଙ୍କ ଲାଗି କଡ଼ାକଡ଼ି ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବାଧ୍ୟତାମୂଳକ କରାଯାଇଛି।

ସାଂଘାଇ ମ୍ୟୁନିସିପାଲିଟି ୧,୬୦,୦୦ ଶଯ୍ୟା ବିଶିଷ୍ଟ ୧୦୦ରୁ ଅଧିକ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବା ସମ୍ପର୍କରେ ଘୋଷଣା କରିଛି।
ସାଂଘାଇରେ ୮,୦୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଆଠଟି କରୋନା ହସ୍ପିଟାଲ ରହିଛି। ସାଂଘାଇର ଭାଇସ ମେୟର ଜୋଙ୍ଗ ମିଙ୍ଗ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅସ୍ଥାୟୀ ହସ୍ପିଟାଲଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରାଯିବାର ଯୋଜନା କରାଯାଉଛି।

Share