Categories: ବାଣିଜ୍ୟ

ବ୍ୟବସାୟ ସୁଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର,୧।୮: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ଏମ୍‌ଏସ୍‌ଏମ୍‌ଇ ବିଜନେସ୍‌ ଆସୋସିଏଟ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ୟବସାୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସାୟ ସୁଯୋଗର ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉତ୍ସାହିତ କରିବାଲାଗି ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ସ୍ଥାନୀୟ ଭାବେ ସଂଗ୍ରହ କରାଯାଉଥିବା ଉପକରଣ ଓ ସେବାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ ଶିଳ୍ପର ସାମଗ୍ରିକ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାୟ ୭୦ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଯୋଗଦେଇଥିଲେ। ଅପରପକ୍ଷରେ ବିଭିନ୍ନ ଏମ୍‌ଏସ୍‌ଏମ୍‌ଇ ସଂଘ, ଚାମ୍ବର ଅଫ୍‌ କମର୍ସର ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି, ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଓ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ବ୍ୟବସାୟ ସୁଯୋଗକୁ ସମୃଦ୍ଧ କରିବା। ବିଶେଷ କରି ଏହି ଅଭିଯାନ ଟାଟା ପାୱାର ଡିସ୍‌କମ୍‌ ଓ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ସମ୍ପର୍କ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ସାମଗ୍ରିକ ବିକାଶର ପ୍ରତିଶ୍ରୁତି ପ୍ରଦାନ କରୁଛି। ସେହିଭଳି ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି, ସମସ୍ତ ଚାରିଟି ଡିସ୍‌କମ୍‌ ଏମ୍‌ଏସ୍‌ଏମ୍‌ଇ ବିଜ୍‌ନେସ ଆସୋସିଏଟ୍‌ସଙ୍କ ସହ ଆଲୋଚନା କରିଥିବା ବେଳେ ଆମେ ସେମାନଙ୍କୁ ଶୁଣି ସେମାନଙ୍କ ମୂଲ୍ୟବାନ ମତାମତ ସଂଗ୍ରହ କରିଛୁ।

Share