ମୁକ୍ତ, ଅବାଧ ନିର୍ବାଚନକୁ ଗୁରୁତ୍ୱ

କଟକ ଅଫିସ,୨୬।୧୦: ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ। ଏଥିପାଇଁ ଡିଜିପି ସୁନୀଲ ବଂଶଲ ପୋଲିସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସ୍ବଚ୍ଛ, ମୁକ୍ତ, ଅବାଧ ନିର୍ବାଚନ ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ଆଦର୍ଶ ନିର୍ବାଚନ ଆଚରଣ ବିଧି କଡ଼ାକଡ଼ି ପାଳନ କରାଯିବା ସହ ଭିଆଇପି ଓ ଭିଭିଆଇପିଙ୍କ ପରିଦର୍ଶନବେଳେ ପୋଲିସ ବ୍ୟବସ୍ଥା ସକ୍ରିୟ କରାଯିବା, ୧୦୭ ଓ ୧୧୦ ଧାରାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ବାନ୍ଧିବା, ବେଆଇନ ଅସ୍ତ୍ରଶସ୍ତ୍ର, ମଦ ଜବତ ଓ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିବା ବ୍ୟକ୍ତିଙ୍କୁ ଧରିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି। ଅତିରିକ୍ତ ଡିଜିପି (ଆଇନ ଶୃଙ୍ଖଳା) ଆର୍‌.କେ. ଶର୍ମା ସମଗ୍ର ନିର୍ବାଚନମଣ୍ଡଳୀରେ ପୋଲିସ ଅଧିକାରୀ ଓ କର୍ମଚାରୀ ନିୟୋଜନର ରୂପରେଖ, ମୋବାଇଲ ଓ ଫ୍ଲାଇଂ ସ୍କ୍ବାଡ୍‌ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଉପନିର୍ବାଚନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଇଜିପି ଓ ଏସ୍‌ପି ଟିକିନିଖି ତଦାରଖ କରିବାକୁ କହିଥିଲେ। ଉପନିର୍ବାଚନରେ ପୋଲିସ ପକ୍ଷରୁ ୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍‌ ଫୋର୍ସ, ୨୦ ପ୍ଲାଟୁନ୍‌ ଏପିଆର୍‌, ୪୬ ମୋବାଇଲ ପାଟ୍ରୋଲିଂ ପାର୍ଟି, ୩ ଫ୍ଲାଇଂ ସ୍କ୍ବାଡ୍‌ ଓ ୩ ଷ୍ଟାଟିଷ୍ଟିକାଲ ସର୍‌ଭେଲାନ୍ସ ଟିମ୍‌କୁ ନିୟୋଜିତ କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ(ଇଭିଏମ୍‌)କୁ ସୁରକ୍ଷିତ ଭାବେ ରଖାଯିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବା ବ୍ୟବସ୍ଥା ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ସମୀକ୍ଷା ବୈଠକରେ ଆଇଜି (ମୁଖ୍ୟାଳୟ) ଏସ୍‌. ଦେବଦତ୍ତ ସିଂ, ଆଇଜି (ପର୍ସୋନେଲ) ଏସ୍‌. ପ୍ରବୀଣ କୁମାର, ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ଓ ଆଇଜି (ପୂର୍ବାଞ୍ଚଳ) ହିମାଂଶୁ ଲାଲ ପ୍ରମୁଖ ଯୋଗ ଦେଇଥିଲେ।

Share