ମୁଣ୍ଡ ପିଛା ଆୟ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୧୭।୯ (ଅଭୟ ଦାଶ): ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ଏକ ‘ପ୍ରଭାବୀ ସଫଳତା’ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ କହିଛନ୍ତି। ହେଲେ ଦେଶର ମୁଣ୍ଡ ପିଛା ଆୟ ମଧ୍ୟ ଏହା ସହ ବଢିବା ଆବଶ୍ୟକ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଶନିବାର ଆଇସିଏଫ୍‌ଏଆଇ ଫାଉଣ୍ଡେଶନ ଫର୍‌ ହାୟର ଏଜୁକେଶନର ୧୩ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ରଙ୍ଗରାଜନ ଏଭଳି ଗୁରୁତ୍ୱପୂର୍ଣ୍ଣ ମତ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପୃଷ୍ଠଭୂମିର ରାଜନୈତିକ ମାନଚିତ୍ରକୁ ଆଖି ଆଗରେ ରଖି ଦେଶର ବିକାଶ ନିମନ୍ତେ ଏକ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହେବା ଜରୁରୀ ହୋଇଥିବାବେଳେ ଏ ଦିଗରେ ଆର୍ଥିକ ବୃଦ୍ଧି ହାରକୁ ବଢ଼ାଇବା ସବୁଠୁ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କାମ ହେବ ବୋଲି ରଙ୍ଗରାଜନ କହିଛନ୍ତି। ଏପରିକି ଭାରତ ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହେବା ସମସ୍ତଙ୍କ ପାଇଁ ଏକ ବଡ ସଫଳତା ନିଶ୍ଚିତ। ହେଲେ ଏହାକୁ ଦେଶର ମୁଣ୍ଡ ପିଛା ଆୟ ନଜରରେ ଦେଖିଲେ ଅସଲ ସତ୍ୟ ସାମ୍ନାକୁ ଆସିବ। ବିଶେଷକରି ୨୦୨୦ରେ ମୁଣ୍ଡ ପିଛା ଆୟ ମାମଲାରେ ଭାରତ ୧୯୭ ଦେଶ ମଧ୍ୟରେ ୧୪୨ ତମ ସ୍ଥାନରେ ଥିଲାବେଳେ ଏଥିରୁ ଆମକୁ କେତେ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି ତାହା ସହଜରେ ବୁଝାପଡ଼େ ବୋଲି ରଙ୍ଗରାଜନ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଏହି ଯାତ୍ରାରେ ରଙ୍ଗରାଜନ ବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆଜି ଆମ ପାଖରେ ଲୋକଙ୍କ ମୁଣ୍ଡ ପିଛା ଆୟର ବର୍ତ୍ତମାନ ସ୍ତରକୁ ଦେଖିଲେ ଦ୍ରୁତବେଗରେ ଆଗକୁ ବଢ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଦେଶ ଯଦି ଆଗାମୀ ୨ ଦଶକ ପର୍ଯ୍ୟନ୍ତ ପ୍ରତି ବର୍ଷ ୭% ହାରରେ ଅଭିବୃଦ୍ଧି ହାସଲକରେ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଦେଖାଯିବ ଓ ବିଶ୍ୱରେ ଭାରତ ଏକ ବିକଶିତ ଅର୍ଥ ବ୍ୟବସ୍ଥାର ସ୍ଥାନ ମଧ୍ୟ ପାଇବ ବୋଲି ରଙ୍ଗରାଜନ ମତପ୍ରକାଶ କରିଛନ୍ତି। ସେହିପରି ବର୍ଦ୍ଧିତ ଅଭିବୃଦ୍ଧିରେ ରୋଜଗାର ମଧ୍ୟ ସୃଷ୍ଟି ହେବାର ଆବଶ୍ୟକ ରହିଛି। କାରଣ ବିନା ଅଭିବୃଦ୍ଧିରେ ରୋଜଗାର ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ବୋଲି ସେ ଆକଳନ କରୁଥିବାବେଳେ ଆମକୁ ସର୍ବନିମ୍ନ ୭% ହାରର ମଜଭୁତ ଆର୍ଥିକ ବୃଦ୍ଧି ହାର ଲକ୍ଷ୍ୟ ରଖିବା ଦରକାର ବୋଲି ସେ କହିଛନ୍ତି।

Share