ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର ଥିଲା। ପରବର୍ତ୍ତୀ ସମୟରେ ଧୀରେ ଧୀରେ ଶବ୍ଦ ଏବଂ ଏହା ପରେ ଭାଷାର ସୃଷ୍ଟି ମଣିଷର କ୍ରମ ବିକାଶ ସହିତ ସମ୍ପନ୍ନ ହୋଇଥିଲା।
ସଭ୍ୟତାର ବିକାଶ ସହିତ ସମାଜରରେ ଭାଷା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଥିଲା। ଅଧିକ ସଂଖ୍ୟକ ଲୋକ ବୁଝି ପାରୁଥିବା ଭାଷା ଦ୍ୱାରା ଏବେ ସରକାର ବିଭିନ୍ନ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଯାହାଦ୍ୱାରା ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତରେ ରାଷ୍ଟ୍ରଭାଷା ଭାବେ ହିନ୍ଦୀକୁ ଗ୍ରହଣ କରାଯାଇଛି।
ହିନ୍ଦୀ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୧୦ ଜାନୁୟାରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ହିନ୍ଦୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଏକ ଅନ୍ତର୍ଜାତୀୟ ଭାଷା ଭାବରେ ଉପସ୍ଥାପନ କରିବା ପାଇଁ ସଚେତନତା ସୃଷ୍ଟି କରିବା।
ବିଶ୍ୱରେ ହିନ୍ଦୀର ବିକାଶ ଏବଂ ପ୍ରସାର ଲକ୍ଷ୍ୟରେ ବିଶ୍ୱ ହିନ୍ଦୀ ସମ୍ମିଳନୀ ଆରମ୍ଭ ହୋଇଥିଲା ଏବଂ ୧୯୭୫ ଜାନୁୟାରୀ ୧୦ରେ ନାଗପୁରରେ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତେଣୁ ଏହି ଦିନଟିକୁ ସ୍ମରଣ କରି ପ୍ରତିବର୍ଷ ଜାନୁୟାରୀ ୧୦ରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଇଥାଏ।
୧୪ ସେପ୍ଟେମ୍ବର ୧୯୪୯ରେ ଭାରତ ସରକାରଙ୍କ ପକ୍ଷରୁ ହିନ୍ଦୀକୁ ସରକାରୀ ଭାଷା ଭାବରେ ଘୋଷଣା କରାଯାଇଥିଲା। ଏହା ପରେ, ୧୯୫୩ରେ ରାଷ୍ଟ୍ର ଭାଷା ପ୍ରସାର ସମିତିର ସୁପାରିସ କ୍ରମେ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୦ ଜାନୁୟାରୀ ୨୦୦୬ରେ ପ୍ରତିବର୍ଷ ବିଶ୍ୱ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୦ ଜାନୁୟାରୀ ୨୦୦୬ରେ ପ୍ରଥମ ଥର ପାଇଁ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ସେବେଠାରୁ ଏହି ଦିବସଟି ପାଳିତ ହୋଇ ଆସୁଛି।
ବିଦେଶରେ ଥିବା ଭାରତୀୟ ଦୂତାବାସରେ ଏହି ଦିନକୁ ବିଶେଷ ଭାବେ ପାଳନ କରାଯାଇଥାଏ।