Categories: ବାଣିଜ୍ୟ

ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର,୧୩।୧୦:ପ୍ରତିବର୍ଷ ଭଳି ଚଳିତ ବର୍ଷ ପାର୍ବଣ ସମୟରେ ଆଇନଗତ ବିଦ୍ୟୁତ୍‌ ସଂଯୋଗକୁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଚଳିତ ପାର୍ବଣ ଏବଂ ଆଗାମୀ ଦଶହରା ସମୟରେ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଲାଗି ଟିପିସିଓଡିଏ୍‌ଲ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏପରିକି ସୁରକ୍ଷା ପ୍ରତି ରହିଥିବା ପ୍ରତିବଦ୍ଧତା ବଜାୟ ରଖି ଅସ୍ଥାୟୀ ଢାଞ୍ଚା ଓ ପେଣ୍ଡାଲଗୁଡ଼ିକ ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ଆବଶ୍ୟକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଉତ୍ସବ ପାଳନକୁ ସୁନିଶ୍ଚିତ କରିବା ଲାଗି ସ୍ବୀକୃତିପ୍ରାପ୍ତ ବିଦ୍ୟୁତ୍‌ ସଂଯୋଗ ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ଆହ୍ବାନ ଦିଆଯାଇଛି। ଟିପିସିଓଡିଏଲ୍‌ର ସତର୍କତା ଟିମ୍‌ ସମସ୍ତ ପେଣ୍ଡାଲର ବିଦ୍ୟୁତ୍‌ ବ୍ୟବସ୍ଥା ଉପରେ ନଜର ରଖିବା ସହ ଅଣ ସ୍ବୀକୃତିପ୍ରାପ୍ତସଂଯୋଗକୁ ରୋକିବେ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷା ପ୍ରତି ଆମ ଦୃଢ଼ ପ୍ରତିବଦ୍ଧତା ଥିଲାବେଳେ ସମସ୍ତଙ୍କ ପାଇଁ କମ୍ପାନୀ ଏକ ଅତ୍ୟନ୍ତ ଉଲ୍ଲାସପୂର୍ଣ୍ଣ ଓ ସୁରକ୍ଷିତ ଦଶହରାର ଗ୍ୟାରେଣ୍ଟି ପ୍ରଦାନ କରୁଛି। ସ୍ବୀକୃତିପ୍ରାପ୍ତ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଆମେ ଜନସାଧାରଣଙ୍କୁ ଆହ୍ବାନ ଦେଉଛୁ। ଏପରିକି ସମସ୍ତଙ୍କ ପାଇଁ ଉତ୍ସବକୁ ଏକ ସୁରକ୍ଷିତ ଓ ଉଲ୍ଲାସପୂର୍ଣ୍ଣରେ ପରିଣତ କରିବାକୁ ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି ଏବଂ ସମସ୍ତଙ୍କୁ ଏକ ଉଲ୍ଲାସପୂର୍ଣ୍ଣ ଓ ସୁରକ୍ଷିତ ଉତ୍ସବ ପାଳନର ଶୁଭକାମନା ଜଣାଉଛି।

Share