ଶୃଙ୍ଖଳିତ, ଅବାଧ ନିର୍ବାଚନକୁ ଗୁରୁତ୍ୱ

ଭୁବନେଶ୍ୱର,୧୯ା୩(ସୂର୍ଯ୍ୟକାନ୍ତ ବେହେରା):ରାଜ୍ୟରେ ଆସନ୍ତା ମେ ଓ ଜୁନ୍‌ରେ ୪ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନଜର ରଖି ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ କନ୍‌ଫରେନ୍ସରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଝାଡଖଣ୍ଡର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ନିୟମାବଳୀକୁ ଠିକ୍‌ ଭାବେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା ସମ୍ପର୍କରେ ବୈଠକରେ ମତପ୍ରକାଶ ପାଇଥିଲା। ବିଶେଷକରି ରାଜ୍ୟର ସୀମାବର୍ତ୍ତୀ ଜିଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରାଯିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ମାଓବାଦୀ ପ୍ରବଣ ଜିଲାଗୁଡିକରେ ନିର୍ବାଚନ ସମ୍ପର୍କିତ ହିଂସା, ରାଜ୍ୟର ସୀମା ତନଖି ଫାଟକରେ କଡାକଡି ଯାଞ୍ଚ, ସମ୍ବେଦନଶୀଳ ସ୍ଥାନଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର ଓ ବେଆଇନ ଟଙ୍କା କାରବାର ରୋକିବାକୁ ଆଲୋଚନା ହୋଇଥିଲା। ଏହାସହ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ ରୋକାଯିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ମତପ୍ରକାଶ ପାଇଥିଲା। ଏହି ବୈଠକରେ ରାଜ୍ୟର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ମୁଖ୍ୟାଳୟ) ଆର.କେ.ଶର୍ମା, ଗୋଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶନ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଗୋଇନ୍ଦା ଆଇଜିପି ଅନୁପ ସାହୁ, ଅପରେଶନ ଆଇଜି ଦେବଦତ୍ତ ସିଂହ, ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମାଶଙ୍କର ଦାଶ ,ଏସ୍‌.ପି(ହେଡକ୍ୱାର୍ଟର୍ସ) ବି. ଗଙ୍ଗାଧରଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି ଏବଂ ସୀମାବର୍ତ୍ତୀ ଜିଲାଗୁଡିକର ଏସ୍‌ପିମାନେ ଉପସ୍ଥିତ ଥିଲେ।