Categories: ବାଣିଜ୍ୟ

ନିର୍ମାଣ କ୍ଷେତ୍ରରେ ପ୍ରଦୂଷଣମୁକ୍ତ ପରିବେଶକୁ ଗୁରୁତ୍ୱ

ଭୁବନେଶ୍ୱର, ୨୯।୯ (ଅଭୟ ଦାଶ):ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱ ପ୍ରଦୂଷଣଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିଥିବାବେଳେ ଭାରତ ୨୦୭୦ ସୁଦ୍ଧା ଦେଶକୁ ଅଙ୍ଗାର ନିର୍ଗମନମୁକ୍ତ କରିବା ନେଇ ଯୋଜନା କରୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଦୃଷ୍ଟିରୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସବୁଜ ପଦକ୍ଷେପ ସହ ପ୍ରଦୂଷଣମୁକ୍ତ ପରିବେଶକୁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବାଧନକରି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶକୁ ସ୍ବଚ୍ଛ ଓ ଆବର୍ଜନାମୁକ୍ତ ରଖିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆହେବ। ବିଶେଷକରି ବର୍ତ୍ତମାନ ସମୟରେ ଚାଲିଥିବା ସ୍ବଚ୍ଛତା ହିଁ ସେବା ପକ୍ଷରେ ଜାତୀୟ ରାଜପଥ, ରାସ୍ତାକଡ଼ ସୁବିଧା, ଢାବା, ଟୋଲ୍‌ ପ୍ଲାଜା ଭଳି ୧୩,୦୦୦ ସ୍ଥାନରେ ପରିମଳ ରକ୍ଷା ପାଇଁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୭,୦୦୦ ସ୍ଥାନରେ କାମ ଆପାତତଃ ଶେଷ ହୋଇଛି। ସେହିଭଳି ପ୍ରତିଦିନ ଗଦା ହେଉଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦେଶବ୍ୟାପୀ ସହରଗୁଡ଼ିକରେ ମୁଖ୍ୟ ପରିବେଶଗତ ଆହ୍ବାନ ଭାବେ ଦେଖା ଦେଇଥିବା ଗଡ଼କରୀ କହିଥିଲେ। ଏପରିକି ୧୦ହଜାର ହେକ୍ଟର ପାଖାପାଖି ଜମି ଅଳିଆ ଆବର୍ଜନା ଗଦା ଯୋଗୁ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ସେ ଦୃଷ୍ଟିରୁ ସହରର କଠିନ ବର୍ଜ୍ୟବସ୍ତୁକୁ ରାଜପଥ ନିର୍ମାଣ ପାଇଁ ବ୍ୟବହାରକରି ସେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରଣାଳୟ ଚିନ୍ତା କରୁଛି। ବର୍ଜ୍ୟରୁ ସମ୍ପଦ ସୃଷ୍ଟି କେବଳ ବୈଷୟିକ ଜ୍ଞାନ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁ ସମ୍ଭବ ବୋଲି ମନ୍ତ୍ରୀ କହିଥିଲେ। ଦେଶର ବିକଳ୍ପ ଜୈବ ଇନ୍ଧନକୁ ନେଇ ମନ୍ତ୍ରୀ କହିଥିଲେ, ଦେଶରେ ଏକ ଇଥାନଲ ଅର୍ଥନୀତିର ସେ ଦୃଢ ସମର୍ଥକ। କୃଷି କ୍ଷେତ୍ରର ଅଭିବୃଦ୍ଧି କରିବା ପାଇଁ ଇଥାନଲକୁ ଅଧିକରୁ ଅଧିକ ଉପଯୋଗ କରାଯିବା ଆବଶ୍ୟକ ରହିଛି। ଇଥାନଲ ଅର୍ଥ ବ୍ୟବସ୍ଥା ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି। ସେହିପରି ଗଡ଼କରୀ କହିଥିଲେ, ବିଶ୍ୱର ପ୍ରଥମ ବିଏସ୍‌-୬ କମ୍ପ୍ଲିଆଣ୍ଟ ଫ୍ଲେକ୍ସ ଫୁଏଲ ଷ୍ଟ୍ରଙ୍ଗ୍‌ ହାଇବ୍ରିଡ୍‌ ଯାନ ଦିଲ୍ଲୀରେ ଚାଲିବା ଆରମ୍ଭ ସହ ଫ୍ଲେକ୍ସ ଇଞ୍ଜିନଗୁଡ଼ିକ ଶତପ୍ରତିଶତ ଇଥାନଲ ଦ୍ୱାରା ଚାଲି ଅର୍ଥବ୍ୟବସ୍ଥା ମଧ୍ୟକୁ ୧ ଲକ୍ଷ କୋଟି ଟଙ୍କା ଆସିପାରିବ।

Share