Categories: ବାଣିଜ୍ୟ

ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ବର୍ଷର ମୌସୁମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଉକ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ବିଭିନ୍ନ ପ୍ରକାର ସୁରକ୍ଷା ପଦକ୍ଷେପ ମଧ୍ୟ କମ୍ପାନୀ ଗ୍ରହଣ କରିଛି। ବିଶେଷ କରି କମ୍ପାନୀ ତା’ର ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ମୌସୁମୀ ସମୟରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ବିଦ୍ୟୁତ ବ୍ୟବସ୍ଥା, ଖୁଣ୍ଟ ଓ ତାର ଉପରେ ଗଛ ପଡ଼ିବାକୁ ଏଡ଼ାଇବା ଲାଗି ୧୬୫୦ ସର୍କିଟ୍‌ କି.ମି. ଏଚ୍‌ଟି ଫିଡର୍‌ରେ ବୃକ୍ଷର ବିଭିନ୍ନ ଅଂଶକୁ କମ୍ପାନୀ ପକ୍ଷରୁ କଟାଯାଇଥିବା ବେଳେ କ୍ରିପର୍‌ର ଅଭିବୃଦ୍ଧି ଯୋଗୁ ହେବାକୁ ଥିବା ଟ୍ରିପିଂ (ବିଭ୍ରାଟ)କୁ ରୋକିବା ଲାଗି ୨୫୦ ସବଷ୍ଟେଶନରେ ଡି-ଭେଜିଟେଶନ କରାଯାଇଛି। ଏପରିକି ଆବଶ୍ୟକ କର୍ମଚାରୀ ମୁତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍‌ ଯାନ ଚବିଶ ଘଣ୍ଟା ଉପଲବ୍ଧ ରହିଛି, ଡିଟିରେ ୧୧୫୦ ପଲିମରିକ୍‌ ଲାଇଟେନିଂ ଆରେଷ୍ଟର (ଘଡ଼ଘଡ଼ି ରୋକିବା) ଓ ଟ୍ରାନ୍ସଫରମର ବ୍ରେକ୍‌ଡାଉନ୍‌ ହ୍ରାସ କରିବା ଲାଗି ୨୦୦୦ ପଲିମରିକ୍‌ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି। ସେହିଭଳି ୧୦,୦୦୦ ସ୍ଥାନରେ ବିଦ୍ୟୁତ ଲିକ୍‌ ପରୀକ୍ଷଣ ଅଭିଯାନ ହାତକୁ ନିଆଯାଇଥିବା ବେଳେ ୮୫୭ ଆର୍ଥିଂ ବ୍ୟବସ୍ଥା ସ୍ଥାପନ ସହ ଡିଟିରେ ୧୩୬୮ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି। ବିଶେଷ କରି ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଅତ୍ୟଧିକ ଦୁର୍ବଳ ଅଞ୍ଚଳରେ ୧୧୦୦ ଇଣ୍ଟରପୋଜିଂ (ଛନ୍ଦି ହୋଇଥିବା) ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଛି ଏବଂ ଯେକୌଣସି ପ୍ରକାର ଅଭାବନୀୟ ଘଟଣାକୁ ରୋକିବା ଲାଗି ୫୦୦ ବିଦ୍ୟୁତ ସବଷ୍ଟେଶନରେ ବାଡ଼ ଦିଆଯାଇଛି।
ଏ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଆମର ଗ୍ରାହକମାନେ କିଭଳି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ନିୟମିତ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଏପରିକି ଚଳିତ ମୌସୁମୀ ସମୟରେ ସରଳ ପଦକ୍ଷେପ ଅନୁସରଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ବାନ ଦେଉଛୁ ବୋଲି ଅରବିନ୍ଦ ମତପ୍ରକାଶ କରିଛନ୍ତି।

Share