Categories: ବାଣିଜ୍ୟ

ଗ୍ରାମୀଣ ବ୍ୟାଙ୍କିଙ୍ଗ୍‌ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୭: (ଅଭୟ ଦାଶ): ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ବଳକା ଲୋକ ଅର୍ଦ୍ଧସହରାଞ୍ଚଳ ଓ ସହରାଞ୍ଚଳ ଆଦିରେ ବସବାସ କରୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଯୁବ ଉଦ୍ୟୋଗୀ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜିି)ଙ୍କୁ ସରକାର ସମସ୍ତ ସରକାରୀ ଯୋଜନା ଓ ପ୍ରୋତ୍ସାହନ ଯୋଗାଇବା ସହ ଅର୍ଥନୀତି ଓ ନିଯୁକ୍ତିରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି। ବିଗତ ଦିନର ପରିସ୍ଥିତି ଓ ବର୍ତ୍ତମାନ ସ୍ଥିତିକୁ ଠିକ୍‌ ଭାବେ ଆକଳନ କଲେ ଗ୍ରାମାଞ୍ଚଳର ଉନ୍ନତି ତାହା ପରିପ୍ରକାଶ କରୁଛି। ଏଭଳି କିଛି ଦୃଶ୍ୟପଟ ସହ ଗ୍ରାମୀଣ କ୍ଷେତ୍ରରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବା ସହିତ କାରବାର ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କାନାରା ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ର କହିଛନ୍ତି। ସେହିଭଳି ଓଡ଼ିଶାରେ କାନାରା ବ୍ୟାଙ୍କର ଉପସ୍ଥିତି ବହୁତ ଭଲ ରହିଥିବାବେଳେ ଆଗାମୀ ଦିନରେ ଆଉ କିଛି ନୂଆ ସେବା ସୁବିଧା ଓ ଶାଖା ରାଜ୍ୟବାସୀଙ୍କ ପାଇଁ ଆରମ୍ଭ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ଓଡ଼ିଶାରେ କାନାରା ବ୍ୟାଙ୍କର ୨୭୭ ଟି ଶାଖା ରହିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଆଉ ୧୦ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ସେହିପରି ରାଜ୍ୟରେ ବ୍ୟାଙ୍କର ମୋଟ କାରବାର ୩୪,୦୦୦ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ସରକାରଙ୍କ ସହ ମିଳିତ ଭାବେ ବ୍ୟାଙ୍କ କାର୍ଯ୍ୟ କରୁଛି। ଅପରପକ୍ଷରେ ମିଶନ ଶକ୍ତି ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜିି)ଙ୍କୁ ଗତ ବର୍ଷ ୪୦୦ କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଏପରିକି ଚଳିତ ବର୍ଷ ଋଣ ପରିମାଣ ଦ୍ବିଗୁଣିତ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏଥି ସହିତ ରାଜ୍ୟରେ ବେତନ ପ୍ୟାକେଜି ସ୍କିମ୍‌ ଆରମ୍ଭ ହୋଇଥିବା ଚନ୍ଦ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ ସହିତ ଉଭୟ ଋଣ ଓ ଜମା ଉପରେ ୧୦% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଋଣର ୫୫% ରାଶିକୁ ଖୁଚୁରା, କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରଦାନ କରଯାାଇଥିବା ବେଳେ ୪୫% ରାଶି କର୍ପୋରେଟ ସଂସ୍ଥାମାନଙ୍କୁ ଦିଆଯାଇଛି ବୋଲି ଅଶୋକ ଚନ୍ଦ୍ର ବିସ୍ତୃତ ଭାବେ ମତବ୍ୟକ୍ତ କରିିଛନ୍ତି।

Share