ଭାବ ଆଦାନପ୍ରଦାନରେ ସାଙ୍କେତିକ ଭାଷାର ଗୁରୁତ୍ୱ

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି ସହଜରେ ନିଜ ଜୀବନ ଜିଇଁପାରିବ ସେ ନେଇ ବିଭିନ୍ନ ସାଙ୍କେତିକ ଭାଷା ମାଧ୍ୟମରେ ତା’ର ବୋଧଗମ୍ୟତାର ବିକାଶ କରାଯାଇଥାଏ।
ପୃଥିବୀରେ ଏଭଳି ଲୋକଙ୍କ ସଂଖ୍ୟା ୭୦ ନିୟୁତରୁ ଅଧିକ। ୱାଲର୍ଡ ଫେଡେରେଶନ ଅଫ ଡିଫ (ଡବ୍ଲ୍ୟୁଏଫ୍ଡି) ଅନୁସାରେ ଅନ୍ୟର ଭାବନାକୁ ବୁଝିବା ପାଇଁ ସେମାନେ ୩୦୦ରୁ ଅଧିକ ସାଙ୍କେତିକ ଭାଷାର ବ୍ୟବହାର କରିଥାନ୍ତି।
ଏଭଳି ଲୋକଙ୍କ ମାନବିକ ଅଧିକାରକୁ ସୁରକ୍ଷିତ କରିବା ଲାଗି ଅନ୍ତର୍ଜାତୀୟସ୍ତରରେ ପ୍ରୟାସ କରାଯାଇଥିଲା। ଶ୍ରବଣବାଧିତଙ୍କ ଭାଷା ପରିଚୟକୁ ପ୍ରୋତ୍ସାହିତ କରିବା ପାଇଁ ୧୯୫୧ ସେପ୍ଟେମ୍ବର ୨୩ରେ ଡବ୍ଲ୍ୟୁଏଫ୍ଡି ଗଠନ ହୋଇଥିଲା। ଏଥିରେ ୧୩୫ଟି ଜାତୀୟ ସଂଗଠନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଶ୍ରବଣବାଧିତଙ୍କ ଲାଗି ଅନ୍ତର୍ଜାତୀୟ ସପ୍ତାହ ପ୍ରଥମେ ୧୯୫୮ ସେପ୍ଟେମ୍ବରରେ ପାଳନ କରାଯାଇଥିଲାା ପରେ ୨୦୧୭ ଡିସେମ୍ବର ୧୯ରେ ଜାତିସଂଘର ସାଧାରଣ ସଭାରେ ୯୭ ଜଣ ସଦସ୍ୟ ରାଷ୍ଟ୍ର ଡବ୍ଲ୍ୟୁଏଫ୍ଡି ଗଠନ ସ୍ମୃତିରେ ୨୩ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଭାବରେ ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ। ୨୦୧୮ ସେପ୍ଟେମ୍ବର ୨୩ରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପ୍ରଥମେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରବଣବାଧିତଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ ଦିଆଯାଇଥାଏ। ସେହିପରି ଭାଷାଭିତ୍ତିକ ଏବଂ ସାଂସ୍କୃତିକ ବିବିଧତାର ଏକ ଅଂଶ ଭାବରେ ସଙ୍କେତ ଭାଷାଗୁଡ଼ିକୁ ସଂରକ୍ଷଣ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ।

Share